Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ଗୁରୁତର ଅପରାଧୀଙ୍କୁ ଦଣ୍ଡ କୋହଳ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଗୁରୁତର ଅପରାଧ ମାମଲାରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ ଏବଂ ଦୋଷୀଙ୍କ ଆଗୁଆ ମୁକ୍ତି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଅପରାଧୀଙ୍କ ପ୍ରତି ବାରମ୍ବାର ଦୟା ପ୍ରଦର୍ଶନ ଓ ଦଣ୍ଡ କୋହଳ କରିବାର ମଧ୍ୟ ଏକ ସୀମା ରହିବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ଜଷ୍ଟିସ୍ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଶୀଲ ନାଗୁଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ହରିୟାଣାର ହତ୍ୟା ଦୋଷୀ ସଞ୍ଜୀବ କୁମାରଙ୍କ ଆଗୁଆ ମୁକ୍ତି ଆବେଦନର ଶୁଣାଣି ସମୟରେ ଏହି ମତ ରଖିଛନ୍ତି। ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

୨୦୦୧ରେ ହିସାର ଜିଲ୍ଲାରେ ଜଣେ ପୂର୍ବତନ ବିଧାୟକଙ୍କ ପରିବାରର ୮ ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ସଞ୍ଜୀବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୪ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ୨୦୦୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିବାବେଳେ ୨୦୦୭ରେ ସୁପ୍ରିମକୋର୍ଟ ପୁନର୍ବାର ମୃତ୍ୟୁଦଣ୍ଡ ବଳବତ୍ତର ରଖିଥିଲେ। ତେବେ ଦୟା ଆବେଦନର ନିଷ୍ପତ୍ତିରେ ବିଳମ୍ବ ହେବାରୁ ୨୦୧୪ରେ ସୁପ୍ରିମକୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ପୁଣି ଆଜୀବନ କାରାଦଣ୍ଡରେ ବଦଳାଇଥିଲେ।

ହରିୟାଣା ସରକାରଙ୍କ ୨୦୦୨ ମସିହାର ଦଣ୍ଡ ରିହାତି ନୀତି ଅନୁଯାୟୀ ୨୦ ବର୍ଷ ଜେଲ୍‌ରେ କାଟିଥିବା ଦର୍ଶାଇ ସଞ୍ଜୀବ ଆଗୁଆ ମୁକ୍ତି ଦାବି କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ବିରୋଧ କରିଛନ୍ତି।

ଶୁଣାଣି ସମୟରେ ଜଷ୍ଟିସ୍ ଦତ୍ତା ଅନ୍ୟ ଏକ ମାମଲାର ଉଦାହରଣ ଦେଇଥିଲେ। ସେଥିରେ ନିଜ ଝିଅକୁ ଯୌନ ନିର୍ଯାତନା ଦେଇ ହତ୍ୟା କରିଥିବା ଜଣେ ଦୋଷୀ ପାରୋଲ୍‌ରେ ଆସି ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏପରି ମାମଲାରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇବାର ପରିଣାମ ନେଇ ସେ ପ୍ରଶ୍ନ ଉଠାଇଥିଲେ।

ଭାରତରେ ମୃତ୍ୟୁଦଣ୍ଡ କେବଳ ‘ବିରଳରୁ ବିରଳତମ’ ମାମଲାରେ ପ୍ରଦାନ କରାଯାଏ। ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ ଏବଂ ଦୋଷୀଙ୍କ ଆଗୁଆ ମୁକ୍ତି ସମ୍ପର୍କରେ ଖଣ୍ଡପୀଠଙ୍କ ମନ୍ତବ୍ୟ ଏବେ ଗୁରୁତ୍ୱ ବହନ କରୁଛି।

Show More

Related Articles

Back to top button