Breaking PLUSଆଇନ କାନୁନଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ପ୍ରେସ୍‌କ୍ରିପ୍‌ସନ୍ ଔଷଧ ବିଜ୍ଞାପନ ପାଇଁ ସରକାରୀ ଅନୁମତି ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଡାକ୍ତରଙ୍କ ପରାମର୍ଶରେ ବିକ୍ରି ହେଉଥିବା ଔଷଧର ବିଜ୍ଞାପନ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏଣିକି ସିଡ୍ୟୁଲ୍‌ ଏଚ୍‌, ଏଚ୍‌୧ ଓ ଏକ୍ସ ବର୍ଗର ଔଷଧର ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡ୍ରଗ୍‌ସ ନିୟମ, ୧୯୪୫ରେ ସଂଶୋଧନ ପାଇଁ ଚିଠା ପ୍ରସ୍ତାବ ଜାରି କରିଛି।

ସେପ୍ଟେମ୍ବର ୨୮ରେ ଜାରି ହୋଇଥିବା ଏହି ଚିଠା ନିୟମ ଅନୁଯାୟୀ, ଔଷଧର ବିକ୍ରି ଓ ବିତରଣ ପାଇଁ ଲାଇସେନ୍ସ ପାଇଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ବିଜ୍ଞାପନ ପୂର୍ବରୁ ଅନୁମୋଦନ ନେବାକୁ ହେବ। ପୂର୍ବରୁ ଏ କ୍ଷେତ୍ରରେ ମୁଖ୍ୟତଃ ଔଷଧ ନିର୍ମାତାଙ୍କ ଉପରେ କଟକଣା ରହିଥିଲା। ନୂଆ ପ୍ରସ୍ତାବରେ ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କ ସମେତ ଔଷଧ ବିତରଣ ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ମଧ୍ୟ ଏହାର ପରିସରଭୁକ୍ତ କରାଯାଇଛି।

ଏହି ନିୟମ ଅଧୀନରେ ଆଣ୍ଟିବାୟୋଟିକ୍‌, ସାଇକୋଟ୍ରୋପିକ୍‌ ଓ ଅନ୍ୟାନ୍ୟ ପ୍ରେସ୍‌କ୍ରିପ୍‌ସନ୍‌ ଆଧାରିତ ଔଷଧ ରହିବ। ଔଷଧ ଯୋଗାଣ ବ୍ୟବସ୍ଥା ଉପରେ ସରକାରୀ ନିରୀକ୍ଷଣ ବଢ଼ାଇବା ଏହାର ଉଦ୍ଦେଶ୍ୟ।

ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡ (ଡିଟିଏବି)ର ୯୩ତମ ବୈଠକରେ ଲାଇସେନ୍ସଧାରୀ ସଂସ୍ଥାଙ୍କ ଦ୍ୱାରା ଔଷଧ ବିକ୍ରି ଓ ବିତରଣକୁ ଅଧିକ ନିୟନ୍ତ୍ରିତ କରିବା ଏବଂ ବିଜ୍ଞାପନ ବ୍ୟବସ୍ଥା କଡ଼ାକଡ଼ି କରିବା ନେଇ ଆଲୋଚନା ହୋଇଥିଲା। ଏହାପରେ ଚିଠା ନିୟମ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଛି। ମତାମତ ଦେବା ପାଇଁ ୩୦ ଦିନ ସମୟ ଧାର୍ଯ୍ୟ ହୋଇଛି। ଚୂଡ଼ାନ୍ତ ନିୟମ ପ୍ରସ୍ତୁତି ସମୟରେ ଏହାକୁ ବିଚାରକୁ ନିଆଯିବ।

Show More

Related Articles

Back to top button