ଏସ୍ଆଇଆର୍ ଅନିୟମିତତା ଅଭିଯୋଗ: ନିର୍ବାଚନ କମିଶନ ଓ ସିଇସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଏବଂ ଭୋଟରଙ୍କ ନାମ ବାଦ୍ ପଡ଼ିବା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ବିରୋଧୀ ଇଣ୍ଡିଆ ମେଣ୍ଟର ନେତାଙ୍କ ସମେତ ଅନ୍ୟ ଆବେଦନକାରୀଙ୍କ ପିଟିଶନ୍ର ଶୁଣାଣି କରି ଭାରତୀୟ ନିର୍ବାଚନ କମିଶନ (ଇସିଆଇ), ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏସ୍ଆଇଆର୍ର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ସମସ୍ତ ଆବେଦନର ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାରେ ବହୁ ଯୋଗ୍ୟ ଭୋଟରଙ୍କ ନାମ କଟିଯାଇଥିବା ଏବଂ ବିଭିନ୍ନ ସ୍ଥାନରେ ଅନିୟମିତତା ହୋଇଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି।
ଶୁଣାଣି ସମୟରେ ଜଣେ ଆବେଦନକାରୀଙ୍କ ଆଚରଣ ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ତେବେ ସେହି ଆବେଦନକାରୀ ରାହୁଲ ଗାନ୍ଧୀ ବୋଲି ଅଦାଲତ ସ୍ପଷ୍ଟ କରିନାହାନ୍ତି। ନୋଟିସ୍ ଜାରି କରିବାକୁ କୌଣସି ପକ୍ଷର ଆଚରଣକୁ ନିନ୍ଦା କରିବା ବୋଲି ବିଚାର କରାଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।
ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ଅନେକ ବିରୋଧୀ ନେତା ଏହି ପ୍ରସଙ୍ଗରେ ଆବେଦନ କରିଛନ୍ତି।
ଏସ୍ଆଇଆର୍କୁ ବିରୋଧ କରି ବିଭିନ୍ନ ଦଳ ଆନ୍ଦୋଳନ ଜାରି ରଖିଥିବାବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ମଧ୍ୟ ଜୋର୍ ଧରିଛି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ନୋଟିସ୍ ଏହି ମାମଲାକୁ ନୂଆ ମୋଡ଼ ଦେଇଛି।



