ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ, ଜଳିଲା ୧.୫୧ ଲକ୍ଷ ଦୀପ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ୨୦୨୬ ମସିହାର ଦୀପୋତ୍ସବ। ଲକ୍ଷ ଲକ୍ଷ ମାଟିଦୀପର ଆଲୋକରେ ଝଲସି ଉଠିଛି ନଦୀକୂଳ।
ଅଯୋଧ୍ୟା ନିକଟସ୍ଥ ମା’ କାମାଖ୍ୟା ଧାମରେ ଗୋମତୀ ନଦୀକୂଳରେ ଷଷ୍ଠ ବାର୍ଷିକ ଦୀପୋତ୍ସବ ଅବସରରେ ୧.୫୧ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇଛି। ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ବୋଲି ବିଜେପି ବିଧାୟକ ରାମଚନ୍ଦ୍ର ଯାଦବ କହିଛନ୍ତି।
ଏହି ଆୟୋଜନକୁ ସଫଳ କରିବାରେ ନଗର ପଞ୍ଚାୟତ ଅଧିକାରୀ, ଅଧ୍ୟକ୍ଷ, କାଉନସିଲର, ଛାତ୍ରଛାତ୍ରୀ ଓ ସ୍ଥାନୀୟ ମହିଳାମାନଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି।
ଅଯୋଧ୍ୟା ଜିଲ୍ଲାପାଳ ଶଶାଙ୍କ ତ୍ରିପାଠୀଙ୍କ ସୂଚନା ଅନୁସାରେ, ଦୀପାବଳିର ମୁଖ୍ୟ ଉତ୍ସବ ପୂର୍ବରୁ ଗୁରୁବାର ଏକ ପରୀକ୍ଷାମୂଳକ ଆରତି ଅନୁଷ୍ଠିତ ହୋଇଛି। ଶୁକ୍ରବାରଠାରୁ ଡ୍ରୋନ୍ ଶୋ’ ଓ ଲେଜର ଶୋ’ର ପ୍ରସ୍ତୁତି ଆରମ୍ଭ ହେବ।
ଏହି ଅବସରରେ ତପସ୍ୱୀ ଛାଉଣୀର ପୀଠାଧୀଶ ଜଗଦ୍ଗୁରୁ ପରମହଂସ ଆଚାର୍ଯ୍ୟଙ୍କ ସମେତ ବହୁ ସାଧୁସନ୍ଥ ଦୀପ ପ୍ରଜ୍ୱଳନରେ ଅଂଶଗ୍ରହଣ କରିଥିଲେ। ରାମଘାଟ ଅଞ୍ଚଳର ତପସ୍ୱୀ ଛାଉଣୀର ଇତିହାସ ରାମାୟଣ ଯୁଗ ସହ ଜଡ଼ିତ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ମୁରାଦାବାଦର ରାମଲୀଳା ମଇଦାନରେ ମଧ୍ୟ ଦୀପୋତ୍ସବ ଆୟୋଜିତ ହୋଇଛି। ମୁରାଦାବାଦ ନଗର ନିଗମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗୁରୁବାର ୫ ଲକ୍ଷ ମାଟିଦୀପ ପ୍ରଜ୍ୱଳନ କରାଯାଇଛି।



