ମିଲେଟ୍ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ପ୍ରାକୃତିକ ଚାଷ, କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନ ଓ ଓଡ଼ିଶାର ମିଲେଟ୍ ଅର୍ଥନୀତିକୁ ସୁଦୃଢ଼ କରିବାର ଆହ୍ୱାନ ସହ ବୁଧବାର ଉଦ୍ଯାପିତ ହୋଇଛି ପଞ୍ଚମ ମାଣ୍ଡିଆ ଦିବସ। ମେ’ଫେୟାର କନଭେନସନ୍ଠାରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ଶେଷ ଦିନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ ସ୍ଥାୟୀ କୃଷି ପାଇଁ ପାରମ୍ପରିକ ଜ୍ଞାନକୌଶଳ ଓ ପ୍ରାକୃତିକ ଚାଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଦ୍ୱିତୀୟ ଦିନରେ ତିନୋଟି ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନରେ ପାରମ୍ପରିକ ଜ୍ଞାନ ଓ ପ୍ରାକୃତିକ ପଦ୍ଧତିରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଉପରେ ଆଲୋଚନା ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ସଫଳ ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ନୂତନ ଉଦ୍ଭାବନ ଏବଂ ସଫଳତାର କାହାଣୀ ସ୍ଥାନ ପାଇଥିଲା।
ତୃତୀୟ ଅଧିବେଶନରେ ଓଡ଼ିଶାର ମାଣ୍ଡିଆଭିତ୍ତିକ ଅର୍ଥନୀତିର ବିକାଶ, ଉଦ୍ୟୋଗ ପ୍ରତିଷ୍ଠା ଓ ବଜାର ସଂଯୋଗ ସୁଦୃଢ଼ କରିବା ନେଇ ଭାରତୀୟ ମିଲେଟ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା କରାଯାଇଥିଲା।
ଏହି ଅବସରରେ ‘ଉନ୍ନତ ମାଣ୍ଡିଆ ଚାଷ ପଦ୍ଧତି’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ କୃଷି ନିର୍ଦ୍ଦେଶକ ଡ. ପୋମା ଟୁଡୁ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଏବଂ ଇମେଜ୍ ନିର୍ଦ୍ଦେଶକ ଅରୁଣ କୁମାର ବେହେରା ଉପସ୍ଥିତ ଥିଲେ। ମାଣ୍ଡିଆ ଚାଷ ଓ କୃଷି ବିକାଶରେ ଅବଦାନ ପାଇଁ ପ୍ରଗତିଶୀଳ ଚାଷୀ, କୃଷକ ଉତ୍ପାଦକ ସଂଗଠନ ଓ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
‘ସହନଶୀଳ ଖାଦ୍ୟ ବ୍ୟବସ୍ଥା ପାଇଁ ଗୋଷ୍ଠୀଭିତ୍ତିକ ବିହନ ପ୍ରଣାଳୀ ଓ କୃଷି ଜୈବବିବିଧତା’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ନୀତି ନିର୍ଦ୍ଧାରକ, କୃଷି ବିଶେଷଜ୍ଞ, ଗବେଷକ, ଚାଷୀ ଓ ଉଦ୍ୟୋଗୀମାନେ ଯୋଗଦେଇ ସ୍ଥାୟୀ କୃଷି ଓ ମାଣ୍ଡିଆର ବଜାର ସମ୍ଭାବନା ନେଇ ମତ ରଖିଥିଲେ।



