ପରୀକ୍ଷା ଫି’ ଫେରସ୍ତ, କଠୋର ହେବ ଆଇନ

refunded
ମୁମ୍ବାଇ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ଭି. ରାଧାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦ୍ୱିତୀୟ ରିପୋର୍ଟ ଦାଖଲ କରିଛି। ଏଥିରେ ନିୟମ କଡ଼ାକଡ଼ି ସହ ପରୀକ୍ଷାର୍ଥୀଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବାକୁ ପ୍ରସ୍ତାବ ରହିଛି।
ପ୍ରଶ୍ନପତ୍ର ଲିକ୍ ଓ ସଂଗଠିତ ଠକେଇରେ ସମ୍ପୃକ୍ତ ସଂସ୍ଥା ପାଇଁ ଜରିମାନା ୧ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ସହ ଜେଲ୍ ଦଣ୍ଡ କଠୋର କରିବାକୁ ସୁପାରିସ ହୋଇଛି। ଏଥିସହ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଓ ଫାଷ୍ଟଟ୍ରାକ୍ ଅଦାଲତ ଗଠନ ପ୍ରସ୍ତାବ ଦିଆଯାଇଛି।
ସେହିପରି ମହାରାଷ୍ଟ୍ର ଲୋକସେବା ଆୟୋଗ (ଏମ୍ପିଏସ୍ସି) ପରୀକ୍ଷାରେ ଉପସ୍ଥିତ ରହୁଥିବା ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ପରୀକ୍ଷା ଫି’ ଫେରାଇବାକୁ କମିଟି ସୁପାରିସ କରିଛି। ଏହାସହ ଉତ୍ତରମାଳା ସମ୍ପର୍କିତ ଆପତ୍ତି ଗ୍ରହଣ ହେଲେ ଆପତ୍ତି ଶୁଳ୍କ ମଧ୍ୟ ଫେରସ୍ତ ହେବ।
ନିଯୁକ୍ତି ପ୍ରକ୍ରିୟାରେ ଡିଜିଟାଲ୍ ପଞ୍ଜୀକରଣ, ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ଓ ସାଇବର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ଚଳିତ ଅଧିବେଶନରେ ନୂଆ କଠୋର ଆଇନ ଆଣିବାକୁ ସରକାର ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି।



