Breaking PLUSଦେଶବିଧାନସଭାମୁଖ୍ୟ ଖବରରାଜନୀତି

୨୦୨୭ ନିର୍ବାଚନ ପାଇଁ ସପାର ‘ଜନ-ମନ ଘୋଷଣାପତ୍ର’

ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ଜୋରଦାର କରିଛି ସମାଜବାଦୀ ପାର୍ଟି (ସପା)। ସମ୍ବିଧାନ ଦିବସ ଅବସରରେ ଗୁରୁବାର ଦଳ ପକ୍ଷରୁ ‘ଜନ-ମନ ଘୋଷଣାପତ୍ର’ ଜାରି କରାଯିବ। ଲକ୍ଷ୍ନୌରେ ଅପରାହ୍ନ ୪ଟାରେ ଦଳୀୟ ମୁଖ୍ୟ ଅଖିଳେଶ ଯାଦବ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରିବେ। ଘୋଷଣାପତ୍ରର ଟ୍ୟାଗ୍‌ଲାଇନ୍‌ ରହିଛି ‘୨୭ର ସଂକଳ୍ପ, PDAର ପ୍ରଣପତ୍ର’।

ଏହି ଘୋଷଣାପତ୍ରରେ ମହିଳା, ଯୁବବର୍ଗ, କୃଷକ, ଗରିବ ଓ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇପାରେ। ରିପୋର୍ଟ ଅନୁସାରେ, ମହିଳାଙ୍କୁ ବାର୍ଷିକ ୪୦ ହଜାର ଟଙ୍କା ପେନ୍‌ସନ୍‌, ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ ସ୍ୱରୋଜଗାର ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଭଳି ପ୍ରତିଶ୍ରୁତି ସ୍ଥାନ ପାଇପାରେ। ଏଥିସହ ଗରିବଙ୍କୁ ମାଗଣା ଚିକିତ୍ସା, ଯୁବବର୍ଗଙ୍କୁ ନିଯୁକ୍ତି ଓ ଶିକ୍ଷା ସୁଯୋଗ, କୃଷକଙ୍କ ସମସ୍ୟା ଏବଂ ସାମାଜିକ ନ୍ୟାୟ ଉପରେ ଦଳ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି।

ଅଖିଳେଶଙ୍କ ଏଥରର ରଣନୀତିରେ PDA ସମୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏହାର ଅର୍ଥ ପଛୁଆ ବର୍ଗ, ଦଳିତ ଓ ଅଳ୍ପସଂଖ୍ୟକ। ପୂର୍ବରୁ ମୁସଲିମ୍‌-ଯାଦବ (M-Y) ସମୀକରଣ ଉପରେ ନିର୍ଭର କରୁଥିବା ସପା ଏବେ PDA ମାଧ୍ୟମରେ ଅଧିକ ବର୍ଗର ଭୋଟରଙ୍କୁ ନିଜ ସହ ଯୋଡ଼ିବାକୁ ଉଦ୍ୟମ କରୁଛି।

ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ଯୋଜନା (OPS) ପୁନଃ ଲାଗୁ, ଖାଲି ସରକାରୀ ପଦବୀ ପୂରଣ ଏବଂ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି ଭଳି ପ୍ରସ୍ତାବ ମଧ୍ୟ ଘୋଷଣାପତ୍ରରେ ରହିପାରେ।

ଦଳ ପକ୍ଷରୁ ରାଜ୍ୟ, ଜିଲ୍ଲା ଓ ଲକ୍ଷ୍ନୌ ସହର ପାଇଁ ପୃଥକ୍‌ ଘୋଷଣାପତ୍ର ଜାରି କରିବାର ଯୋଜନା ରହିଛି। ଏଥିରେ ରାଜ୍ୟସ୍ତରୀୟ ପ୍ରତିଶ୍ରୁତି ସହ ପ୍ରତ୍ୟେକ ଜିଲ୍ଲାର ସ୍ଥାନୀୟ ସମସ୍ୟା ଓ ଲକ୍ଷ୍ନୌର ସହରୀ ଉନ୍ନୟନକୁ ସ୍ଥାନ ଦିଆଯିବ। ଏହି ଘୋଷଣାପତ୍ର ମାଧ୍ୟମରେ ନିର୍ବାଚନର ବହୁ ପୂର୍ବରୁ ଭୋଟରଙ୍କ ନିକଟରେ ନିଜର ଆଭିମୁଖ୍ୟ ଓ ପ୍ରତିଶ୍ରୁତି ପହଞ୍ଚାଇବାକୁ ସପା ଲକ୍ଷ୍ୟ ରଖିଛି।

Show More

Related Articles

Back to top button