
ସଂସଦରେ ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଅଧିବେଶନ। ଏହା ଡିସେମ୍ବର ୩ ତାରିଖରେ ଶେଷ ହେବ। ଏହି ଅବଧିରେ ଲୋକସଭା ଚାରି ଦିନ ଏବଂ ରାଜ୍ୟସଭା ଦୁଇ ଦିନ କାର୍ଯ୍ୟ କରିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଏଥିପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଅନୁରୋଧ କରାଯାଇଛି।
ସୂଚନା ଅନୁଯାୟୀ, ଲୋକସଭାର ଅଧିବେଶନ ନଭେମ୍ବର ୩୦ରୁ ଡିସେମ୍ବର ୩ ଯାଏ ଚାଲିବ। ଅନ୍ୟପଟେ ରାଜ୍ୟସଭାର କାର୍ଯ୍ୟ ଡିସେମ୍ବର ୨ରୁ ଆରମ୍ଭ ହୋଇ ୩ ତାରିଖରେ ସମାପ୍ତ ହେବ। ଏହି ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ (ଡିଲିମିଟେସନ୍) ବିଲ୍ ଏବଂ ୨୦୨୯ ନିର୍ବାଚନରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ ହୋଇପାରେ ବୋଲି ଆଲୋଚନା ହେଉଛି।
ନିୟମ ଅନୁସାରେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପୂର୍ବରୁ ଅତି କମ୍ରେ ତିନି ଦିନ ଆଗରୁ ନୋଟିସ୍ ଜାରି କରିବାକୁ ପଡ଼ିଥାଏ। ତେଣୁ ଏହି ଅଧିବେଶନରେ ସରକାର କେଉଁ ପ୍ରମୁଖ ପ୍ରସ୍ତାବ ଆଣୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।



