ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ରାୟଗଡ଼ା ସହରର କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ପରମଜ୍ୟୋତି ମେଡିକାଲ ଷ୍ଟୋରରେ । ଅଗ୍ନିକାଣ୍ଡରେ ୩କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡି ନଷ୍ଟ । ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ରାୟଗଡ଼ା ଓ କୋଲନରା ଅଗ୍ନିଶ୍ରମ ବିଭାଗର ୨ଟି ୟୁନିଟ୍ ଦୀର୍ଘ ୪ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ଦୋକାନରେ ପ୍ଲାଷ୍ଟିକ ଏବଂ ରସାୟନିକ ସାମଗ୍ରୀ ଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହୋଇଥିଲା ଅଗ୍ନିଶ୍ରମ ବାହିନୀ ।ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା ନିଆଁ ଲିଭା କାର୍ଯ୍ୟ । ହାର୍ଡୱେର ଦୋକାନରେ ବିଭିନ୍ନ ପ୍ଲାଷ୍ଟିକ ପାଇପ୍ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ସାମଗ୍ରୀ ରହିଥିଲା । ଦୋକାନ ନିକଟରେ ଥିବା ଔଷଧ ଦୋକାନ ସହ ଅନ୍ୟ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା ।