ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଅବକାରୀ ନୀତି ଦୁର୍ନୀତି ମାମଲା: ଅଭିଯୁକ୍ତ ଦୀନେଶ ଅରୋରା ହେବେ ସରକାରୀ ସାକ୍ଷୀ

ନୂଆଦିଲ୍ଲୀ: ତଥାକଥିତ ଦିଲ୍ଲୀ ଅବକାରି ନୀତି ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା କରିଥିଲା। ଏଥିସହ ଏହି ଘଟଣାରେ ଅନେକ ଅଭିଯୁକ୍ତ ମଧ୍ୟ ରହିଥିଲେ। ଏବେ ଘଟଣାର ଅଭିଯୁକ୍ତ ଥିବା ଜଣେ ବ୍ୟବସାୟୀଙ୍କୁ ପୂରା ମାମଲାରେ ସିବିଆଇ ସରକାରୀ ସାକ୍ଷୀ ବନାଇଛି। ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ନିଜ ଆଡ଼ୁ ସରକାରୀ ସାକ୍ଷୀ ହେବାକୁ ଚାହୁଁଥିବା ଆଜି ସିବିଆଇ ସ୍ଥାନୀୟ କୋର୍ଟଙ୍କୁ ଜଣାଇଛି।ସରକାରୀ ସାକ୍ଷୀ ବନିଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦୀନେଶ ଅରୋରା। ଗତ ସପ୍ତାହରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରୋରାଙ୍କୁ ଜାମିନ ମିଳିଥିଲା। ସେ ଜାମିନ ଆବେଦନ କରିଥିବା ବେଳେ ଏହାକୁ ସିବିଆଇ ଆଦୌ ବିରୋଧ କରି ନଥିଲା। ସେ ବିନା କୌଣସି ସମସ୍ୟାରେ ଜାମିନ ପାଇଥିବା ବେଳେ ଆଜି ସେ ସରକାରୀ ସାକ୍ଷୀ ବନିଛନ୍ତି। ସିବିଆଇ ଆଜି ଦାଖଲ କରିଥିବା ପିଟିସନରେ କହିଛନ୍ତି ଯେ,ଶ୍ରୀ ଅରୋରା ଅବକାରୀ ନୀତି ମାମଲାରେ ସରକାରୀ ସାକ୍ଷୀ ହେବେ। ବ୍ୟବସାୟୀ ଅରୋରା ତଦନ୍ତରେ ପୂରା ସହଯୋଗ କରୁଛନ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛନ୍ତି। ଏହି ତଥ୍ୟ ଆଧାରରେ ଅଧିକ ତଦନ୍ତ କରାଯାଉଛି। ସିବିଆଇ ଆଜି ରୋଜ ଆଭିନ୍ୟୁ କୋର୍ଟରେ ଏପରି ଏକ ପିଟିସନ ଦାଖଲ କରିଛି। ସିବିଆଇର ପିଟିସନ ଦାଖଲ ପରେ ମାମଲାର ଶୁଣାଣି ସ୍ୱତନ୍ତ୍ର ସିବିଆଇ ଜଜ ଏମକେ ନାଗପାଲଙ୍କ କୋର୍ଟରେ ଆରମ୍ଭ ହୋଇଛି। ଏହି ସମୟରେ ଅଭିଯୁକ୍ତ ଦୀନେଶ ଆରୋରା ମଧ୍ୟ କୋର୍ଟ ରୁମରେ ଉପସ୍ଥିତ ଥିଲେ। ସେ କୋର୍ଟଙ୍କୁ କହିଛନ୍ତି ଯେ, “ମୋ ଓକିଲ ଆରକେ ଠାକୁରଙ୍କ ଦ୍ୱାରା ୨୦୨୨ ନଭେମ୍ବର ୧ରେ ଗୋଟିଏ ଆବେଦନ କରାଯାଇଥିଲା। ମୁଁ ସ୍ୱେଚ୍ଛାକୃତ ଭାବେ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ଅଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଏହି ମାମଲା ସହ ଜଡ଼ିତ ସମସ୍ତ ତଥ୍ୟ କୋର୍ଟ ଆଗରେ ଉପସ୍ଥାପନ କରିବି। ଏହି ମାମଲାରେ ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗରେ କ’ଣ ସବୁ ସତ୍ୟତା ରହିଛି, ସେକଥା ମଧ୍ୟ କହିବି। ତଦନ୍ତରେ ମୁଁ ଏବେ ସବୁ ପ୍ରକାରର ସହଯୋଗ କରୁଛି ଓ ଆଗକୁ ମଧ୍ୟ ସହଯୋଗ କରିବି। ମୁଁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ କିଛି ବୟାନ ଦେଇ ସାରିଛି। ମୁଁ ସେସନ୍ସ କୋର୍ଟରେ ମଧ୍ୟ ମୋର ବୟାନ ରେକର୍ଡ କରାଇଛି।” କୋର୍ଟ ଏହା ଶୁଣିବା ପରେ ନଭେମ୍ବର ୧୪ରେ ଦୀନେଶ ଆରୋରାଙ୍କ ବୟାନ ରେକର୍ଡ କରାଯିବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ସେହି ଦିନ କୋର୍ଟ ମାମଲାର ଶୁଣାଣି କରି ଅରୋରାଙ୍କୁ ସରକାରୀ ସାକ୍ଷୀ ଭାବେ ବିବେଚନା କରାଯିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। କୋର୍ଟ ଆଜି ଶୁଣାଣି ବେଳେ ଦୀନେଶ ଆରୋରାଙ୍କୁ ପଚାରିଥିଲେ ଯେ ଆପଣ କୌଣସି ଚାପରେ ଅଛନ୍ତି କି? ସିବିଆଇ ତରଫରୁ କୌଣସି ଧମକ ଦିଆଯାଇଛି କି? ଏହାର ଉତ୍ତରରେ ଆରୋରା କହିଛନ୍ତି ଯେ ସେ ସ୍ୱେଚ୍ଛାକୃତ ଭାବେ ସରକାରୀ ସାକ୍ଷୀ ହେବାକୁ ଚାହୁଁଛନ୍ତି। ଏହି ମାମଲାରେ ତାଙ୍କ ପାଖରେ ଯାହା ବି ସୂଚନା ରହିଛି, ସବୁ କିଛି ସେ କୋର୍ଟଙ୍କୁ ଜଣାଇବାକୁ ରାଜି ଅଛନ୍ତି। ବିନା କୌଣସି ଚାପରେ ସେ ସରକାରୀ ସାକ୍ଷୀ ହେବାକୁ ଚାହୁଁଛନ୍ତି ବୋଲି କୋର୍ଟଙ୍କୁ କହିଛନ୍ତି।

Show More

Related Articles

Back to top button