ରିଲ୍ସ କରିବା ବେଳେ ଅଘଟଣ: ନଦୀକୁ ଡେଇଁ ଜଣେ ନିଖୋଜ, ଜଣେ ଉଦ୍ଧାର

ଭଦ୍ରକ: ରିଲ୍ସ କରିବା ସମୟରେ ଘଟିଛି ଦୁର୍ଭାଗ୍ୟଜନକ ଅଘଟଣ। ଭଦ୍ରକ ସହର ସନ୍ଥିଆ ସ୍ଥିତ ସାଳନ୍ଦୀ ବ୍ରିଜ ଉପରୁ ନଦୀକୁ ଡେଇଁବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବାବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି। ଘଟଣା ସମୟରେ ତୃତୀୟ ଯୁବକ ମୋବାଇଲରେ ଭିଡିଓ ଧାରଣ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ, କେନ୍ଦୁଝର ଅଞ୍ଚଳର ତିନି ଯୁବକ ଭଦ୍ରକରେ ଦିନମଜୁରିଆ ଭାବେ କାମ କରୁଥିଲେ। ଆଜି କାମ ନମିଳିବାରୁ ସେମାନେ ରିଲ୍ସ କରିବାକୁ ସାଳନ୍ଦୀ ବ୍ରିଜକୁ ଯାଇଥିଲେ। ପ୍ରଥମେ ଜଣେ ଯୁବକ ନଦୀକୁ ଡେଇଁଥିଲେ, ପରେ ଆଉ ଜଣେ ମଧ୍ୟ ପୋଲ ଉପରୁ ଡ଼ିଆଁ ମାରିଥିଲେ। ଏହାକୁ ତୃତୀୟ ଯୁବକ ମୋବାଇଲରେ ରେକର୍ଡ କରୁଥିଲେ।
ଏଥିରେ ପ୍ରଥମ ଯୁବକ ଉଦ୍ଧାର ହୋଇଥିବାବେଳେ ଦ୍ୱିତୀୟ ଯୁବକ, ମିଥୁନ ନାୟକ, ନିଖୋଜ ହୋଇଯାଇଛନ୍ତି। ସେ ପୋଲର ପିଣ୍ଡିରେ ଆଘାତ ପାଇ ପାଣିରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି।
ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି। ପୋଲିସ ଦୁଇ ଯୁବକଙ୍କୁ ହେପାଜତରେ ନେଇ ପଚରାଉଚରା ଜାରି ରଖିଛି।
ଏହି ଘଟଣା ପୁନର୍ବାର ସୋସିଆଲ୍ ମିଡିଆ ପାଇଁ ଜୀବନଜୁଆ ଖେଳିବାର ଝୁଁକିକୁ ଉଦ୍ଭାସିତ କରିଛି।



