ଆର୍ୟନ ଖାନ: ‘ଦିନ ଆସିବ ମୋତେ ନେଇ ଗର୍ବ କରିବେ’
ଗରିବଙ୍କୁ ସାହାଯ୍ୟ କରିବାର ଏନସିବିକୁ ପ୍ରତିଶ୍ରୁତି ଦେଲେ ଆର୍ୟନ ଖାନ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ କେସ୍ରେ ଜେଲରେ ଅଛନ୍ତି। ଆର୍ୟନଙ୍କ ଜାମିନ ଆବେଦନ ଉପରେ ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଏମିତିରେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ତାଙ୍କୁ ଜେଲ୍ରେ ରହିବାକୁ ପଡିବ। ଏହା ମଧ୍ୟରେ ଆର୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀଙ୍କୁ କହିଛନ୍ତି ଯେ, ସେ ଜେଲ୍ରୁ ବାହାରିବା ପରେ ଗରିବଙ୍କ ସାହାଯ୍ୟ କରିବେ। ପିଟିଆଇ ରିପୋର୍ଟ ଅନୁଯାୟୀ, ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖେଡେ ନିଜ ଦଳ ସହ ନିକଟରେ ଆର୍ୟନ ଖାନଙ୍କ କାଉନସେଲିଂ କରିଥିଲେ। ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି, ଜେଲ୍ରୁ ବାହାରିବା ପରେ ସେ ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ।
କାଉନସେଲିଂ ସମୟରେ ଆର୍ୟନ କହିଛନ୍ତି, ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ, ଯଦ୍ଵାରା ସେ ପୁନର୍ବାର ଚର୍ଚ୍ଚାରେ ରହିବେ। ମୁଁ ଗୋଟିଏ ଦିନ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ ବୋଲି ଆର୍ୟନ ଏନସିବି ଅଧିକାରୀଙ୍କୁ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆର୍ୟନ ଖାନଙ୍କ କଏଦୀ ନମ୍ଵର ହେଉଛି ଏନ୯୫୬। ଜେଲ୍ରେ କାହାରିକୁ ନାମରେ ନୁହେଁ ବରଂ ନମ୍ଵର ଆଧାରରେ ଡକାଯାଏ। ଆର୍ୟନ ଖାନଙ୍କୁ ମଧ୍ୟ କଏଦୀ ନମ୍ବରରେ ଡକାଯାଉଛି। ଆର୍ୟନ ଜେଲ୍ରେ ବହୁତ ଚିନ୍ତିତ ଜଣା ପଡିଛନ୍ତି। ସେ ଠିକ୍ରେ ଖାଉ ନାହାନ୍ତି। ଅନ୍ୟପଟେ ଜେଲ୍ରେ ବାହାର ଖାଦ୍ୟକୁ ଅନୁମତି ନାହିଁ। ସେ ଜେଲ୍ ପୋଷାକ ନୁହେଁ, ଘରୁ ଆସିଥିବା ପୋଷାକ ପିନ୍ଧୁଛନ୍ତି।