ବନମାଳୀପୁର ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ବିସ୍ଫୋରଣରେ ଜଣେ ମୃତ, ବ୍ୟାପକ କ୍ଷତି

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଫାଣ୍ଡି ଅଞ୍ଚଳର ବାଲିକୁଦା ପାଟଣାରେ ଥିବା ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଅଗ୍ନି ଲାଗିବା ସହ ବିସ୍ଫୋରଣ ଘଟିଥିବାରୁ ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନା ଅନୁସାରେ, ଗୋଦାମରେ ମଜୁତ ଥିବା ବାଣ ଓ ବାରୁଦ ହଠାତ୍ ବିସ୍ଫୋରଣ ହେବାରୁ ଗୋଦାମ ଘରର ଛାତ ଭାଙ୍ଗି ପଡ଼ିଥିଲା। ବାଣ ପ୍ରସ୍ତୁତିରେ ବ୍ୟବହୃତ ବହୁ ସାମଗ୍ରୀ ଓ ବାରୁଦ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆନୁମାନ କରାଯାଉଛି।
ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ବାଲିକୁଦା ପାଟଣାର ରମେଶ ଚନ୍ଦ୍ର ସାହୁଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ସମୟରେ ସେ ପ୍ରାଣ ହାରାଇଥିବା ସୂଚନା ମିଳିଛି।
ଅଗ୍ନିକାଣ୍ଡର ତୀବ୍ରତା ଏତେ ଅଧିକ ଥିଲା ଯେ, ନିଆଁ ପାଖପାଖି ଅଞ୍ଚଳ ସହ କୁଶଭଦ୍ରା ନଦୀ କୂଳର ବାଉଁଶ ଜଙ୍ଗଲକୁ ମଧ୍ୟ ପ୍ରଭାବିତ କରିଥିଲା। ବିସ୍ଫୋରଣର ଭୟଙ୍କର ଶବ୍ଦରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ଘରୁ ବାହାରିଆସିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡରେ ଦୁଇଟି ଘର ମଧ୍ୟ ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ‘ମା ଦୁଲ୍ଲାଦେବୀ ଫାୟାର ୱାର୍କସ୍’ ନାମରେ ଏହି ବ୍ୟବସାୟ କୁମର ସାହୁ ଓ ତାଙ୍କ ପରିବାର ଦୀର୍ଘଦିନ ଧରି ଚାଳାଇଆସୁଥିଲେ। ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।


