Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସେପ୍ଟେମ୍ବର ୨୮ରୁ ବ୍ୟାଙ୍କ ବନ୍ଦ! ଗ୍ରାହକଙ୍କୁ ଏସ୍‌ବିଆଇର ବଡ଼ ପରାମର୍ଶ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତିନିଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ଆହ୍ୱାନ ଦେଇଛି। ଏହାକୁ ନଜରରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକମାନଙ୍କୁ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ଆଗୁଆ ସାରିବାକୁ ପରାମର୍ଶ ଦେଇଛି।

ଧର୍ମଘଟ ସମୟରେ କର୍ମଚାରୀଙ୍କ ଅଂଶଗ୍ରହଣ ଅନୁସାରେ ବିଭିନ୍ନ ଶାଖାରେ ସେବା ପ୍ରଭାବିତ ହୋଇପାରେ। ବିଶେଷକରି ଶାଖାକୁ ଯାଇ କରିବାକୁ ପଡ଼ୁଥିବା କାମ, ଦସ୍ତାବିଜ ଯାଞ୍ଚ, ଶାରୀରିକ ଉପସ୍ଥିତି ଆବଶ୍ୟକ ଥିବା କାରବାର ଏବଂ କେତେକ ଚେକ୍‌ ସମ୍ପର୍କିତ ପ୍ରକ୍ରିୟାରେ ବିଳମ୍ବ ହୋଇପାରେ।

ଗ୍ରାହକଙ୍କୁ ବିକଳ୍ପ ଡିଜିଟାଲ୍‌ ସେବା ବ୍ୟବହାର କରିବାକୁ ଏସ୍‌ବିଆଇ ପରାମର୍ଶ ଦେଇଛି। ଏଟିଏମ୍‌, ଅଟୋମେଟେଡ୍ ଡିପୋଜିଟ୍ ଆଣ୍ଡ୍ ୱିଥଡ୍ରଅଲ୍ ମେସିନ୍‌ (ଏଡିଡବ୍ଲ୍ୟୁଏମ୍‌) ଏବଂ କଷ୍ଟମର ସର୍ଭିସ୍ ପଏଣ୍ଟ୍‌ (ସିଏସ୍‌ପି) ମାଧ୍ୟମରେ ଉପଲବ୍ଧ ସେବା ନେଇପାରିବେ। ସେହିପରି ଇଣ୍ଟରନେଟ୍‌ ବ୍ୟାଙ୍କିଂ, ମୋବାଇଲ୍‌ ବ୍ୟାଙ୍କିଂ, ୟୋନୋ ଏବଂ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବା, ପେମେଣ୍ଟ ଓ ଅନ୍ୟ ଦୈନନ୍ଦିନ କାରବାର କରିହେବ।

ଏସ୍‌ବିଆଇ କହିଛି, ଜରୁରୀ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବାକୁ ପଦକ୍ଷେପ ନିଆଯାଉଛି। ତେବେ ଶାଖା ସେବା କେତେ ପ୍ରଭାବିତ ହେବ, ତାହା କର୍ମଚାରୀଙ୍କ ଧର୍ମଘଟରେ ଅଂଶଗ୍ରହଣ ଉପରେ ନିର୍ଭର କରିବ। ସେପ୍ଟେମ୍ବର ୨୬ ଓ ୨୭ ଶନିବାର-ରବିବାର ଥିବାରୁ ୨୮ରୁ ୩୦ ଯାଏଁ ଧର୍ମଘଟ ଫଳରେ ଗ୍ରାହକଙ୍କ ପାଇଁ ଶାଖା ସେବା ପ୍ରାୟ ପାଞ୍ଚଦିନ ଧରି ସୀମିତ ରହିପାରେ।

Show More

Related Articles

Back to top button