Breaking PLUSଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଆଡଭାନି-ଜୟଶଙ୍କରଙ୍କଠାରୁ କେଜ୍ରିୱାଲଙ୍କ ପର୍ଯ୍ୟନ୍ତ, SIRରେ ଭିଭିଆଇପିଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ବହୁ ଚର୍ଚ୍ଚିତ ବ୍ୟକ୍ତିଙ୍କୁ ନୋଟିସ୍‌ ଜାରି ହୋଇଛି। ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପରିବାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ମନୀଷ ସିସୋଦିଆଙ୍କ ସମେତ ଅନେକ ନାମ ଏହି ତାଲିକାରେ ରହିଛି।

ଏହାବ୍ୟତୀତ ପୂର୍ବତନ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ, ସେବି ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ, ବୈଦେଶିକ ସଚିବ ବିକ୍ରମ ମିଶ୍ରି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଓ ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳାଙ୍କ ନାମ ମଧ୍ୟ ନୋଟିସ୍‌ ତାଲିକାରେ ରହିଛି।

ନିର୍ବାଚନ ଅଧିକାରୀଙ୍କ ଅନୁସାରେ, ପୂର୍ବର ଭୋଟର ତାଲିକା ସହ ବର୍ତ୍ତମାନର ତଥ୍ୟ ମ୍ୟାପ୍‌ ନହେବା, ନାମ, ବୟସ କିମ୍ବା ଅନ୍ୟ ବିବରଣୀରେ ଅସଙ୍ଗତି ରହିବା ଭଳି କାରଣରୁ ନୋଟିସ୍‌ ଜାରି କରାଯାଉଛି। ଜୟଶଙ୍କର ଓ ତାଙ୍କ ପତ୍ନୀଙ୍କ ରେକର୍ଡ ପୂର୍ବ ଭୋଟର ତାଲିକା ସହ ମ୍ୟାପ୍‌ ହୋଇନଥିବା ବର୍ଗରେ ଥିବାବେଳେ, ସାନ୍ଧୁଙ୍କ କ୍ଷେତ୍ରରେ ନାମର ବନାନରେ ଅମେଳ ଥିବା ଦର୍ଶାଯାଇଛି।

ତେବେ ନୋଟିସ୍‌ ମିଳିବାର ଅର୍ଥ ଭୋଟର ତାଲିକାରୁ ନାଁ କାଟିଦିଆଯିବା ନୁହେଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ଭୋଟରମାନଙ୍କୁ ଆବଶ୍ୟକ ଦଲିଲ ଦାଖଲ କରି ନିଜ ତଥ୍ୟ ଯାଞ୍ଚ କିମ୍ବା ସଂଶୋଧନ କରାଇବାର ସୁଯୋଗ ଦିଆଯାଉଛି। ରେଖା ଗୁପ୍ତାଙ୍କ ମାମଲାରେ ଆବଶ୍ୟକ ଦଲିଲ ଯାଞ୍ଚ ପରେ ତାଙ୍କ ଭୋଟର ଏଣ୍ଟ୍ରି ବୈଧ ବୋଲି ନିଶ୍ଚିତ କରାଯାଇଛି।

ଦିଲ୍ଲୀର ପ୍ରାୟ ୩୩.୧୩ ଲକ୍ଷ ଭୋଟରଙ୍କୁ ଏହି SIR ପ୍ରକ୍ରିୟାରେ ବିଭିନ୍ନ ଅସଙ୍ଗତି ନେଇ ନୋଟିସ୍‌ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ଭୋଟର ତାଲିକାର ତଥ୍ୟ ଯାଞ୍ଚ ଓ ସଂଶୋଧନ କରି ଚୂଡ଼ାନ୍ତ ତାଲିକାକୁ ଅଧିକ ସଠିକ୍‌ କରିବା ବୋଲି ନିର୍ବାଚନ ଅଧିକାରୀମାନେ କହିଛନ୍ତି।

Show More

Related Articles

Back to top button