ବ୍ୟାଙ୍କ ଧର୍ମଘଟ ପ୍ରସଙ୍ଗ: ଧର୍ମଘଟରୁ ଓହରିବାକୁ କର୍ମଚାରୀଙ୍କୁ ସରକାରଙ୍କ ଅନୁରୋଧ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ଯାଏ ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟରୁ ଓହରିଯିବାକୁ ସରକାର ସରକାରୀ କ୍ଷେତ୍ରର ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି, ୟୁନିଅନଗୁଡ଼ିକର ଦୁଇଟି ପ୍ରମୁଖ ଦାବି ମଧ୍ୟରୁ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ବ୍ୟବସ୍ଥାକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ସମେତ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ୫ ଦିନିଆ ବ୍ୟାଙ୍କିଂ ସପ୍ତାହ ଲାଗୁ ଏବଂ ପିଏଲ୍ଆଇ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଧର୍ମଘଟ ଡାକରା ଦେଇଛନ୍ତି। ପିଏଲ୍ଆଇ ଦାବି ଉପରେ ସରକାର ପଦକ୍ଷେପ ନେଇଥିବାରୁ ବାକି ପ୍ରସଙ୍ଗଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଅର୍ଥ ମନ୍ତ୍ରଣାଳୟ ଆହ୍ୱାନ ଦେଇଛି।
ସରକାରଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୮ରୁ ୩୦ ଯାଏ ଧର୍ମଘଟ ସହ ୨୬ ଓ ୨୭ ତାରିଖର ସପ୍ତାହାନ୍ତ ଛୁଟି ଯୋଗ ହେବାରୁ ବ୍ୟାଙ୍କିଂ ସେବାରେ ଦୀର୍ଘ ବିଘ୍ନ ଘଟିପାରେ। ଏହା ସହ ସେପ୍ଟେମ୍ବର ୩୦ର ଅର୍ଦ୍ଧବାର୍ଷିକ ହିସାବ ବନ୍ଦ ପ୍ରକ୍ରିୟା ଥିବାରୁ ଏହି ସମୟରେ ଧର୍ମଘଟ ହେଲେ ଗ୍ରାହକ, ବ୍ୟବସାୟ ଓ ସରକାରୀ କାରବାର ପ୍ରଭାବିତ ହୋଇପାରେ।
ସୂଚନାଯୋଗ୍ୟ, ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ବର ୧୧ରେ ଏକଦିନିଆ ଧର୍ମଘଟ କରିଥିଲେ। ଏହା ପରେ ୨୮ରୁ ୩୦ ତାରିଖ ଯାଏ ୩ ଦିନିଆ ଧର୍ମଘଟ ଏବଂ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ପାଇଁ ମଧ୍ୟ ଘୋଷଣା ହୋଇଛି।



