ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା, ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ମିଳିଲା ଅନୁମତି

ଭୁବନେଶ୍ଵର:ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା। ଆନ୍ଧ୍ରର ଦାବିକୁ ସ୍ଵୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଗେଜେଟ ନୋଟିଫିକେଶନ। ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ମିଳିଲା ଅନୁମତି। ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି। ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶାକୁ ଝଟକା ଦେଇଥିବା ବେଳେ ଆନ୍ଧ୍ର ସପକ୍ଷରେ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ଏହି ରାୟ ରାୟଗଡ଼ା ଜିଲ୍ଲା ଚାଷୀଙ୍କ ପାଇଁ ସମସ୍ୟା ବଢାଇଛି।
ଟ୍ରିବ୍ୟୁନାଲ୍ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ଜଳର ପରିମାଣ ୧୧୫ ଟିଏମ୍ସି ସ୍ଥିର ହୋଇଛି। ଏଥିରୁ ଅଧା ଆନ୍ଧ୍ରପ୍ରଦେଶକୁ ଯିବ ବୋଲି ନିର୍ଦ୍ଦେଶର ଉଲ୍ଲେଖ ରହିଛି। ୧୯୬୨ ମସିହା ୩୦ ସେପ୍ଟେମ୍ବରରେ ଏନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକରେ ଚୂଡାନ୍ତ ହୋଇଥିବା କୁହାଯାଇଛି।
ବଂଶଧାର ନଦୀ ଜଳ ବଣ୍ଟନ ନେଇ ଟ୍ରିବ୍ୟୁନାଲ ଯେଉଁ ରାୟ ଦେଇଛି ତାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି । ସେ କହିଛନ୍ତି , ଯଦି ନେରେଡି ଜଳ ପ୍ରକଳ୍ପ କାମ ହୁଏ ଟ୍ରିବ୍ୟୁନାଲର ରାୟ ଅନୁସାରେ ବଂଶଧାରାର ଅଧା ଜଳ ଆନ୍ଧ୍ରକୁ ଚାଲିଯିବ। ଏହା ଦ୍ୱାରା ରାୟଗଡାର ସବୁ ଚାଷୀ କ୍ଷତିଗ୍ରସ୍ତ ହେବେ। ବିଜେପି ସରକାର ଆସିଲା ପରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପ୍ରଥମେ କୋଟିଆ, ବର୍ତ୍ତମାନ ନେରେଡି ଜଳ ବିବାଦ। ଏଥିରେ ଓଡ଼ିଶା ସରକାର ଅପାରଗତା ବାରି ପଡୁଛି। ସରକାରଙ୍କୁ ଅନୁରୋଧ ସେ ଯାଇ ପୁଣି ଲଢ଼େଇ କରନ୍ତୁ। ନ ହେଲେ ଅଭିବକ୍ତ କୋରାପୁଟବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।
ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦ ୨୦୦୬ରେ ଆରମ୍ଭ ହୋଇଥିଲା। ଆନ୍ଧ୍ର ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି।



