
ମହାରାଷ୍ଟ୍ରରେ ବଢ଼ୁଥିବା ମଣିଷ-ମାଙ୍କଡ଼ ସଂଘର୍ଷ ମଧ୍ୟରେ ରାଜ୍ୟ ସରକାର ଏକ ଅଲଗା ପଦକ୍ଷେପ ନେଇଛନ୍ତି, ଯାହା ନେଇ ସବୁଠାରେ ଚର୍ଚ୍ଚା ଚାଲିଛି। ଏପ୍ରିଲ ୨୨ରେ ଜାରି ନିର୍ଦ୍ଦେଶ ଅନୁଯାୟୀ, ଯେଉଁଠି ମାଙ୍କଡ଼ ଧରାଯିବ ସେଠି ପ୍ରତିଟି ପାଇଁ ୬୦୦ ଟଙ୍କା ପୁରସ୍କାର ଦିଆଯିବ।
ସହର ଓ ଗ୍ରାମ ଅଞ୍ଚଳରେ ମାଙ୍କଡ଼ଙ୍କ ସଂଖ୍ୟା ବଢ଼ିବା ସହିତ ସେମାନଙ୍କ ଉତ୍ପାତ ଲୋକମାନଙ୍କ ପାଇଁ ଦୁର୍ଭୋଗ ସୃଷ୍ଟି କରିଛି। ଘରଭିତରକୁ ପଶି ଜିନିଷପତ୍ର ନେଇଯିବା, ଲୋକଙ୍କୁ ଆକ୍ରମଣ କରିବା ଭଳି ଘଟଣା ବଢ଼ିବାରୁ ପ୍ରଶାସନ ପାଇଁ ଏହା ଏକ ଚାଲେଞ୍ଜ ହୋଇଉଠିଛି। ଏହାକୁ ମୁହାଁ ଦେବା ପାଇଁ ବନ ବିଭାଗ ‘କ୍ୟାଶ୍ ଫର୍ କ୍ୟାଚ୍’ ନାମରେ ଯୋଜନା ଆରମ୍ଭ କରିଛି।
ଏହି ଯୋଜନା ଅନୁସାରେ ମାଙ୍କଡ଼ମାନଙ୍କୁ ଧରିବା ପାଇଁ ଜାଲ ଓ ପିଞ୍ଜରା ବ୍ୟବହାର କରାଯିବ। ପ୍ରତ୍ୟେକ ଧରାପଡ଼ିଥିବା ମାଙ୍କଡ଼ର ଫଟୋ ନିଆଯିବ, ଯାହା ଦ୍ୱାରା ରେକର୍ଡ ରଖାଯିବ। ପରେ ସେମାନଙ୍କୁ ସହରଠାରୁ କମ୍ ସେ କମ୍ ୧୦ କିଲୋମିଟର ଦୂରରେ ଥିବା ଜଙ୍ଗଲ ଅଞ୍ଚଳରେ ଛାଡ଼ି ଦିଆଯିବ। ୬୦୦ ଟଙ୍କା ପୁରସ୍କାର ରାଶି ନେଇ ବର୍ତ୍ତମାନ ବିଭିନ୍ନ ମହଳରେ ଆଲୋଚନା ଚାଲିଛି।
ଏହା ସହିତ ଗତ ମାସରେ ମାଙ୍କଡ଼ ଉପରେ ଆକ୍ରମଣ ଘଟଣାମାନେ ମଧ୍ୟ ସାମ୍ନାକୁ ଆସିଥିଲା। ୟେଓର ଜଙ୍ଗଲରେ ଦୁଇଟି ମାଙ୍କଡ଼କୁ ତୀର ଦ୍ୱାରା ଆହତ କରାଯାଇଥିବା ଘଟଣା ଚର୍ଚ୍ଚାରେ ରହିଥିଲା। ଏହା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ସନ୍ଦାନ ପାଇଁ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛି।
ବନ୍ୟପ୍ରାଣୀ କଲ୍ୟାଣ ବିଶେଷଜ୍ଞମାନେ ଆହତ ମାଙ୍କଡ଼ମାନଙ୍କୁ ଉଦ୍ଧାର କରି ସତ୍ୱର ଚିକିତ୍ସା ସୁବିଧା ଯୋଗାଇଥିଲେ। ସରକାରଙ୍କ ଏହି ପଦକ୍ଷେପ ମାଙ୍କଡ଼ ଉତ୍ପାତ କମେଇବାରେ କେତେଦୂର ସଫଳ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।



