
ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଗୋରୁ ଚାଲାଣକୁ ଅଟକାଇବାବେଳେ ଘଟିଥିବା ଦୁର୍ଘଟଣାରେ ଜଣେ ଗୋରକ୍ଷକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଯୁବକ ଗାଡିକୁ ପିଛା କରିଥିଲେ। ପଂଚୁଲିଙ୍ଗେଶ୍ୱର ଅଞ୍ଚଳର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ବାଇକରେ ଗାଡିକୁ ଅଟକାଇବା ପ୍ରୟାସ କରୁଥିବା ବେଳେ ଖନ୍ତାପଡା ନିକଟରେ ଦୁର୍ଘଟଣା ଘଟିଥିଲା।
ଦ୍ରୁତଗତିରେ ଯାଉଥିବା ଗୋରୁ ବୋଝେଇ ଗାଡି ଦୁଇଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ପରେ ଖନ୍ତାପଡା ପୁଲିସ ଗାଡିକୁ ଜବତ କରିଛି। ଆହତ ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନା କୁ ନେଇଥିଲେ, ସେଠାରେ ଡାକ୍ତର କୃପାସିନ୍ଧୁ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଲମ୍ବୋଧରଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।



