ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, 14 ଏପ୍ରିଲ-ଆଜି ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ସମ୍ବିଧାନ ପ୍ରଣେତା, ଭାରତ ରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କେନ୍ଦୁଝରଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲି। ବାବା ସାହେବଙ୍କ ବିଚାରଧାରା ହେଉଛି ସାମାଜିକ ସମରସତାର ମୂଳଦୁଆ। ଜାତି, ବର୍ଣ୍ଣ ଓ ଧର୍ମର ଭେଦଭାବକୁ ଦୂର କରି ସମାଜର ପ୍ରତିଟି ବର୍ଗକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇ ସେ ଭାରତକୁ ଏକତା ସୂତ୍ରରେ ବାନ୍ଧିଥିଲେ। ସେହି ମହାନ ଜନନାୟକଙ୍କ ଆଦର୍ଶରେ ଏକ ସର୍ବସ୍ପର୍ଶୀ, ସର୍ବସମାବେଶୀ, ବିକଶିତ ଓଡ଼ିଶା ଗଠନ ଦିଗରେ ଆମେ ସଂକଳ୍ପବଦ୍ଧ।
ସୋସିଆଲ ମିଡିଆ ଏକ୍ସର ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ନ୍ୟାୟ, ସମରସତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିଛି। ଏକ ପ୍ରଗତିଶୀଳ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତାଙ୍କର ଆଦର୍ଶ ଆମ ସମସ୍ତଙ୍କ ପାଇଁ ସଦା ପ୍ରେରଣାଦାୟୀ।



