ଦେଶମୁଖ୍ୟ ଖବରରାଜନୀତି

କେଜରିୱାଲଙ୍କ ସହ ୭ ଆପ୍ ନେତାଙ୍କୁ ଅଦାଲତ ଅବମାନନା ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାକୁ ନେଇ ରାଜନୈତିକ ତାପମାତ୍ରା ଆହୁରି ବଢ଼ିଛି। ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ଦଳର ଅନ୍ୟ ୬ ଜଣ ବରିଷ୍ଠ ନେତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ନ୍ୟାୟପାଳିକାକୁ ଲକ୍ଷ୍ୟ କରି ଯୋଜନାବଦ୍ଧ ଭାବେ ଅପପ୍ରଚାର ଓ ଭ୍ରାମକ ସୂଚନା ପ୍ରସାର କରାଯାଇଥିବା ଅଭିଯୋଗକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି।

ହାଇକୋର୍ଟ ପକ୍ଷରୁ ଜାରି ନୋଟିସ ପାଇଥିବା ନେତାମାନଙ୍କ ମଧ୍ୟରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ, ସୌରଭ ଭରଦ୍ବାଜ, ବିନୟ ମିଶ୍ର ଓ ଦୁର୍ଗେଶ ପାଠକ ଅଛନ୍ତି। ଅଦାଲତ କହିଛନ୍ତି ଯେ ସୋସିଆଲ ମିଡିଆ ଓ ସାର୍ବଜନୀନ ମଞ୍ଚରେ ନ୍ୟାୟପାଳିକା ବିରୋଧରେ କେତେକ ଅଭିଯୋଗ ଓ ଟୀକାଟିପ୍ପଣୀ କରାଯାଇଥିଲା, ଯାହା ନ୍ୟାୟବ୍ୟବସ୍ଥାର ଛବିକୁ କ୍ଷତିଗ୍ରସ୍ତ କରିପାରେ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବରୁ ଆପ୍ ନେତାମାନେ ସିବିଆଇ ଓ ଇଡି ତଦନ୍ତକୁ ନେଇ କେନ୍ଦ୍ର ସରକାର ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଆଣୁଥିଲେ। ଏହି ପରିପ୍ରେକ୍ଷିତରେ କେତେକ ବକ୍ତବ୍ୟ ନ୍ୟାୟପାଳିକାକୁ ଅସମ୍ମାନ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ହାଇକୋର୍ଟ ମାମଲାକୁ ଗୁରୁତ୍ୱର ସହ ନେଇ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଅନ୍ୟପଟେ, ଆପ୍ ପକ୍ଷରୁ ଏହି ମାମଲାକୁ ନେଇ ଏପର୍ଯ୍ୟନ୍ତ ବିସ୍ତୃତ ପ୍ରତିକ୍ରିୟା ଆସିନାହିଁ। ତେବେ ରାଜନୈତିକ ମହଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଶୁଣାଣିରେ ହାଇକୋର୍ଟ ଏହି ନେତାମାନଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇପାରନ୍ତି।

Show More

Related Articles

Back to top button