ଦିଲ୍ଲୀ ଦଙ୍ଗା ମାମଲା: ମୀରାନ ହାଇଦରଙ୍କ ଜାମିନ ସର୍ତ୍ତରେ କୋହଳ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ମୀରାନ ହାଇଦରଙ୍କ ଜାମିନ ସର୍ତ୍ତରେ ଶୁକ୍ରବାର କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏଣିକି ତାଙ୍କୁ ସପ୍ତାହରେ ଦୁଇଥର ବଦଳରେ ପ୍ରତି ଶନିବାର କ୍ରାଇମ୍ ବ୍ରାଞ୍ଚ ଥାନାରେ ହାଜିରା ଦେବାକୁ ପଡ଼ିବ।
ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ବିପୁଲ ଏମ୍. ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ହାଇଦରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ ତାଙ୍କ ବିବାହକୁ ଦୃଷ୍ଟିରେ ରଖି ଜାମିନ ସର୍ତ୍ତରେ କୋହଳ ପାଇଁ ଅନୁରୋଧ କରିଥିଲେ। ଦିଲ୍ଲୀ ପୁଲିସ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍.ଭି. ରାଜୁ ଏହାର ବିରୋଧ କରିନଥିଲେ।
ଖଣ୍ଡପୀଠ କହିଛନ୍ତି, ହାଇଦରଙ୍କ ବିବାହ ଅକ୍ଟୋବର ୧୭ରେ ହେବାକୁ ଥିବାରୁ ୧୭ ଓ ୨୪ ଅକ୍ଟୋବରରେ ତାଙ୍କୁ ଥାନାରେ ହାଜିରାରୁ ଛାଡ଼ ଦିଆଯିବ। ଅନ୍ୟ ଜାମିନ ସର୍ତ୍ତଗୁଡ଼ିକ ପୂର୍ବପରି ବଳବତ୍ତର ରହିବ।
ନିର୍ଦ୍ଦେଶ ଅନୁସାରେ, ହାଇଦର ପ୍ରତି ଶନିବାର ସକାଳ ୧୦ଟାରୁ ଦିନ ୧୨ଟା ମଧ୍ୟରେ କ୍ରାଇମ୍ ବ୍ରାଞ୍ଚ ଥାନାରେ ହାଜିରା ଦେବେ। ଟ୍ରାଏଲ୍ ଶେଷ ନହେବା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ କୌଣସି ପୋଷ୍ଟ ନକରିବା, କୌଣସି କାର୍ଯ୍ୟକ୍ରମ, ସଭା କିମ୍ବା ରାଲିରେ ଯୋଗ ନଦେବା ଭଳି ସର୍ତ୍ତ ମଧ୍ୟ ରହିଛି। ଜାମିନର ସୁବିଧାର ଦୁରୁପଯୋଗ ହେଲେ ଜାମିନ ବାତିଲ ହୋଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।



