Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ‘ଭଜନ କ୍ଲବିଂ’ରେ ସାମିଲ ହେଲେ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଶୁକ୍ରବାର ଦିଲ୍ଲୀର ଦୀନଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ଏକ ସ୍ବତନ୍ତ୍ର ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
କାର୍ଯ୍ୟକ୍ରମରେ ମୋଦୀ ଦର୍ଶକଙ୍କ ମଧ୍ୟରେ ବସି ଭଜନ ଶୁଣିବା ସହ କଳାକାରଙ୍କ ସହ ତାଳ ମିଳାଇ ତାଳି ବଜାଇଥିଲେ। ଏଥିସହ ସେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପରେ ସୋସିଆଲ ମିଡିଆ ‘ଏକ୍ସ’ରେ କାର୍ଯ୍ୟକ୍ରମ ସମ୍ପର୍କରେ ମୋଦୀ ଲେଖିଥିଲେ, ‘ଦିଲ୍ଲୀରେ ଭଜନ କ୍ଲବିଂ। ଚମତ୍କାର!’
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବପିଢ଼ି ଓ ସାଂସ୍କୃତିକପ୍ରେମୀ ଯୋଗଦେଇଥିଲେ। ପାରମ୍ପରିକ ଭଜନ ଓ କୀର୍ତ୍ତନକୁ ଆଧୁନିକ ସଙ୍ଗୀତ କାର୍ଯ୍ୟକ୍ରମର ଶୈଳୀରେ ପରିବେଷଣ କରାଯାଇଥିଲା। ପ୍ରଭୁ ରାମ, ଶ୍ରୀକୃଷ୍ଣ ଓ ଅନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଭଜନ ସହ ଆଧୁନିକ ଆଲୋକ, ଶବ୍ଦ ଓ ମଞ୍ଚ ସଜ୍ଜାର ବ୍ୟବହାର କରାଯାଇଥିଲା।
‘ଭଜନ କ୍ଲବିଂ’ରେ ପାରମ୍ପରିକ ଭକ୍ତି ସଙ୍ଗୀତ ସହ ଆଧୁନିକ କନସର୍ଟ ଶୈଳୀକୁ ମିଶ୍ରଣ କରାଯାଏ। ବିଶେଷକରି ଯୁବପିଢ଼ି ମଧ୍ୟରେ ଏହି ଧାରା ଲୋକପ୍ରିୟ ହେଉଥିବା କୁହାଯାଉଛି।
ଏହାପୂର୍ବରୁ ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ‘ଅନ୍ତ୍ୟୋଦୟ’ ଦର୍ଶନର ପ୍ରଶଂସା କରିଥିଲେ। ସମାଜର ବଞ୍ଚିତ ବର୍ଗଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେଉଥିବା ଏହି ଚିନ୍ତାଧାରା ଦେଶ ଗଠନ ଓ ଜନକଲ୍ୟାଣ କ୍ଷେତ୍ରରେ ପ୍ରେରଣା ଯୋଗାଇ ଆସୁଥିବା ସେ କହିଥିଲେ।

Show More

Related Articles

Back to top button