Breaking PLUSଅପରାଧଦେଶମୁଖ୍ୟ ଖବର

ସଶିକୁମାର ହତ୍ୟା ମାମଲାରେ ୪ ପିଏଫ୍‌ଆଇ କର୍ମୀଙ୍କୁ ଆଜୀବନ

ଚେନ୍ନାଇ: କୋଏମ୍ବାଟୁରର ହିନ୍ଦୁ ମୁନାନି ମୁଖପାତ୍ର ସି. ସଶିକୁମାର ହତ୍ୟା ମାମଲାରେ ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ୪ ଜଣ ସକ୍ରିୟ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗୁରୁବାର ଚେନ୍ନାଇର ପୁନମଲ୍ଲୀସ୍ଥିତ ଏନ୍‌ଆଇଏ ମାମଲାର ସ୍ବତନ୍ତ୍ର ଅଦାଲତ ଏହି ରାୟ ଶୁଣାଇଛନ୍ତି।
ଦୋଷୀ ସାବ୍ୟସ୍ତ ସଦାମ ହୁସେନ, ସୁବୈର, ମୁବାରକ ଓ ମହମ୍ମଦ ରଫିକୁଲ ହାସନଙ୍କୁ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି। ଏନ୍‌ଆଇଏର ସୂଚନା ଅନୁସାରେ, ଭାରତ ସରକାର ପିଏଫ୍‌ଆଇକୁ ନିଷିଦ୍ଧ କରିବା ପରେ ଏହି ସଂଗଠନର ସଦସ୍ୟଙ୍କ ବିରୋଧରେ ଏନ୍‌ଆଇଏର ଏହା ପ୍ରଥମ ଦୋଷୀସାବ୍ୟସ୍ତ ରାୟ।
୨୦୧୬ ସେପ୍ଟେମ୍ବର ୨୨ରେ କୋଏମ୍ବାଟୁରରେ ସଶିକୁମାରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହାପରେ କୋଏମ୍ବାଟୁର ସହ ୬ଟି ଜିଲ୍ଲାରେ ହିଂସା ଘଟିଥିବା ଏବଂ ୩୦୦ରୁ ଅଧିକ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ଏନ୍‌ଆଇଏ କହିଛି।
ପ୍ରଥମେ ତୁଡିୟାଲୁର ଥାନା ପୁଲିସ ମାମଲାର ତଦନ୍ତ କରିଥିଲା। ପରେ ତାମିଲନାଡୁ ସିବି-ସିଆଇଡି ତଦନ୍ତ କରିଥିବା ବେଳେ ୨୦୧୮ ଜାନୁଆରୀରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏନ୍‌ଆଇଏ ତଦନ୍ତ ଭାର ନେଇଥିଲା। ଏନ୍‌ଆଇଏ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଓ ଦୁଇଟି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଥିଲା। ମାମଲାରେ ୭୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା।
ତେବେ ଅନ୍ୟତମ ଅଭିଯୁକ୍ତ ଅବୁ ଓରଫ ସୟଦ ଅବୁତାଗିରଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ରାୟକୁ ଯାଞ୍ଚ କରି ଅପିଲ୍‌ ଅଦାଲତରେ ଚ୍ୟାଲେଞ୍ଜ କରିବା ପାଇଁ ଉପଲବ୍ଧ ଆଇନଗତ ବିକଳ୍ପ ଉପରେ ବିଚାର କରୁଥିବା ଏନ୍‌ଆଇଏ କହିଛି।

Show More

Related Articles

Back to top button