Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌, ପୁଣି ଉଠିଲା ସୁରକ୍ଷା ପ୍ରଶ୍ନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ଘଟଣା ପୁଣିଥରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ନୋ-ଫ୍ଲାଇଂ ଜୋନ୍‌ ଭାବେ ଘୋଷିତ ହୋଇଥିଲେ ମଧ୍ୟ ଶୁକ୍ରବାର ଏକ ଡ୍ରୋନ୍‌ ଆକାଶରେ ଉଡ଼ୁଥିବା ଦେଖାଯାଇଥିଲା।

ସୂଚନା ଅନୁସାରେ, ଡ୍ରୋନ୍‌ଟି ସିଂହଦ୍ୱାର ଅଞ୍ଚଳରୁ ନୀଳଚକ୍ର ଦିଗକୁ ଉଡ଼ୁଥିବା ଦେଖାଯାଇଥିଲା। ଏହା ଦେଖି ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ନିଷେଧ ଥିବା ସତ୍ତ୍ୱେ ଗତ କିଛି ମାସ ଧରି ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଆସୁଛି।

ଏହି ଘଟଣାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହ ନୋ-ଫ୍ଲାଇଂ ନିୟମର କଡ଼ାକଡ଼ି ଲାଗୁ କରିବାକୁ ଦାବି କରିଛନ୍ତି। ଡ୍ରୋନ୍‌ ଚଳାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଏଭଳି ଘଟଣା ରୋକିବା ପାଇଁ ଅଧିକ ନଜରଦାରିର ଆବଶ୍ୟକତା ରହିଥିବା ସେମାନେ କହିଛନ୍ତି।

ଘଟଣା ସମ୍ପର୍କରେ ସିଂହଦ୍ୱାର ଥାନାକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଡ୍ରୋନ୍‌ଟି କିଏ ଉଡ଼ାଇଥିଲେ ଏବଂ ନିଷିଦ୍ଧ ଅଞ୍ଚଳରେ କିପରି ଏହା ଉଡ଼ାଯାଇଥିଲା, ସେନେଇ ତଦନ୍ତ କରାଯାଉଛି। ଘଟଣା ପରେ ଶ୍ରୀମନ୍ଦିରର ଆକାଶପଥ ସୁରକ୍ଷା ଓ ନୋ-ଫ୍ଲାଇଂ ନିୟମର କଡ଼ା ଅନୁପାଳନ ନେଇ ଦାବି ଜୋର ଧରିଛି।

Show More

Related Articles

Back to top button