ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ

ଭୁବନେଶ୍ୱର, ୩୧ ମାର୍ଚ୍ଚ – ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ । ୫୧ଟି ବନଖଣ୍ଡରେ ଏହି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ସେହିପରି ୫୫୮୭ ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି । ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ନେଇଛି ହାତୀ । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ଗତ ତିନି ବର୍ଷରେ ରାଜ୍ୟରେ ୨୬୪ ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ ଟି ପ୍ରାକୃତିକ କାରଣ ଦ୍ୱାରା ୧୩୨ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି । ସେହିପରି ସେହି ସମୟ ମଧ୍ୟରେ ୪ ଟି ମହାବଳ ବାଘ , ୨୫ ଟି କଲରାପତରିଆ ବାଘ, ୧୪୨୬ ଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିରୁ କେବଳ ଶିକାରୀଙ୍କ ଦ୍ୱାରା ୪୪୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେହିପରି ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ୫୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହତ ହୋଇଛନ୍ତି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩୦୭୪ ଜଣ ଶିକାରୀ ଗିରଫ ହୋଇଛନ୍ତି । ହାତୀଙ୍କ ଗୀତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନ ଖଣ୍ଡରେ ୧୪୨୦ ଗୋଟି ପ୍ରାକ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି ।



