ବିଦେଶୀ ରୋଗୀଙ୍କୁ ଚିକିତ୍ସାରେ ହେବନି ଅସୁବିଧା
ଅଗଷ୍ଟ ୧୫ରେ ନୂଆ ଯୋଜନାର ଘୋଷଣା କରିପାରନ୍ତି ପିଏମ ମୋଦୀ

ବିଦେଶରୁ ଭାରତ ଆସି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅତିରିକ୍ତ ସୁବିଧା ଯୋଗାଇବା ଏବଂ ଭାରତର ଚିକିତ୍ସା ବ୍ୟବସ୍ଥାକୁ ସାରା ଦୁନିଆରେ ପ୍ରସାରିତ କରିବା ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ନୂଆ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି । ହିଲ ଇନ ଇଣ୍ଡିଆ (Heal in India) ନାଁରେ ଏହି ଯୋଜନାର ଘୋଷଣା ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ କରିପାରନ୍ତି । ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଯୋଜନାକୁ ଚୂଡାନ୍ତ ରୂପ ଦେବା ଉପରେ କାମ ଆରମ୍ଭ କରି ସାରିଛି । ଏହି ଯୋଜନା ଅଧିନରେ ସରକାର ଦେଶର ୧୦ଟି ବଡ଼ ବିମାନ ବନ୍ଦରରେ ଇଣ୍ଟରପ୍ରଟର୍ସ ଏବଂ ସ୍ୱତନ୍ତ୍ର ଡେସ୍କ ସ୍ଥାପନ କରିବେ ।
ବିଦେଶରୁ ଆସୁଥିବା ରୋଗୀଙ୍କୁ ସେବା ପ୍ରଦାନ କରିବାରେ ଏହି ଡେସ୍କ ସାହାଯ୍ୟ କରିବ । ଏହାଛଡା ବିଦେଶୀ ରୋଗୀଙ୍କ ମଧ୍ୟରେ ଭାରତରେ ଚିକିତ୍ସାର ସରଳ ଉପଲବ୍ଧତାକୁ ପ୍ରସାରିତ କରିବା ପାଇଁ ଏକ ବହୁଭାଷୀ ପୋର୍ଟାଲ ଏବଂ ସରଳ ଭିସା ନିୟମ କରାଯିବ । ସରକାର ଏହି ଯୋଜନା ଜରିଆରେ ମେଡିକାଲ ଟୁରଜିମକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରିବେ। ସରକାର ବର୍ତ୍ତମାନ ସୁଦ୍ଧା ଏପରି ୪୪ ଦେଶକୁ ଚିହ୍ନଟ କରିଛନ୍ତି, ଯେଉଁଠୁ ବଡ଼ ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ଭାରତ ଆସୁଛନ୍ତି । ସୂଚନା ଅନୁସାରେ ଏଥିରେ ଅଧିକାଂଶ ଆଫ୍ରିକୀୟ, ଲାଟିନ ଆମେରିକୀୟ, ସାର୍କ ଏବଂ ଗୋଲ୍ଫ ଦେଶ ସାମିଲ ଅଛନ୍ତି।