ଗିରିଜା କୁମାର ବଳୀୟାରସିଂଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନ

୨୦୨୫ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ପ୍ରଖ୍ୟାତ କବି ଗିରିଜା କୁମାର ବଳୀୟାରସିଂ ତାଙ୍କ କବିତା ସଂକଳନ ‘ପାଦପୂରଣ’ ପାଇଁ ଓଡ଼ିଆ ଭାଷାରେ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୦ ମସିହାରେ ପ୍ରକାଶିତ ଏହି କବିତା ପୁସ୍ତକ ପାଇଁ ସେ ଏହି ଗୌରବମୟ ପୁରସ୍କାର ଅର୍ଜନ କରିଛନ୍ତି।
ଏହି ବର୍ଷ କବିତା, ଉପନ୍ୟାସ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା ଓ ଆତ୍ମଜୀବନୀ ସହ ମୋଟ ୨୪ଟି ଭାଷାରେ ଲେଖକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ଲେଖକଙ୍କୁ ଉତ୍ତରୀୟ, ସ୍ମୃତିଚିହ୍ନ ସହ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ।
ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗିରିଜା କୁମାର ବଳୀୟାରସିଂଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହା ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ନୂତନ ପରିଚୟ ଦେଇଛି। ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା ମଧ୍ୟ କରିଛନ୍ତି।



