
ଆନନ୍ଦପୁର: ଆନନ୍ଦପୁର କଲେଜରେ ଆଜି ଘଟିଥିବା ଅଗ୍ନିକାଣ୍ଡ ଘଟଣା କଲେଜ ପରିସରକୁ ଅସ୍ଥିର କରିଦେଇଛି। କଲେଜର ସାମ୍ସ (SAMS) ରୁମରେ ହଠାତ୍ ନିଆଁ ଲାଗିଯାଇଥିବାରୁ ବଡ଼ ପରିମାଣର କ୍ଷତି ଘଟିଛି। ଘଟଣା ସମୟରେ ରୁମ ଭିତରେ ରହିଥିବା ୧୦ରୁ ଅଧିକ କମ୍ପ୍ୟୁଟର ପୂରାପୁରି ଜଳି ଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ଅନେକ ଜରୁରୀ ଡକ୍ୟୁମେଣ୍ଟ, ଆବେଦନ ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ଫାଇଲ ମଧ୍ୟ ନଷ୍ଟ ହୋଇଯାଇଛି।
ଅଗ୍ନିକାଣ୍ଡ ଘଟିବା ସହିତ ସହିତ କଲେଜ ପରିସରରେ ଭୟ ଓ ଆତଙ୍କ ଛାଇଯାଇଥିଲା। ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ିଥିବା ଦେଖାଯାଇଥିଲା। ଘଟଣା ବିଷୟରେ ସୂଚନା ପାଇବା ସହିତ ଆନନ୍ଦପୁର ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ଦ୍ରୁତ ଓ ସଚେତନ ପଦକ୍ଷେପ ଫଳରେ ଅଗ୍ନିକୁ ଶୀଘ୍ର ନିୟନ୍ତ୍ରଣରେ ଆଣାଯାଇଥିଲା, ଯାହା ଫଳରେ ଅନ୍ୟ ରୁମ ଓ କଲେଜ ଭବନକୁ ନିଆଁ ପ୍ରସାର ହେବାରୁ ରୋକାଯାଇଥିଲା।
ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍କିଟ୍ର ତ୍ରୁଟି କିମ୍ବା ସ୍ୱର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତଥାପି ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ କଲେଜ ପକ୍ଷରୁ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି।
ଏହି ଘଟଣାରେ ଆର୍ଥିକ କ୍ଷତିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ଦଳିଲ ନଷ୍ଟ ହେବା ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। କଲେଜ କର୍ତ୍ତୃପକ୍ଷ ଘଟଣାର ସମୀକ୍ଷା କରି ଭବିଷ୍ୟତରେ ଏପରି ଅଘଟଣା ନ ଘଟେ, ସେଥିପାଇଁ ପ୍ରୟୋଜନୀୟ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବାକୁ କହିଛନ୍ତି।



