
ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଭାରତ ଭବିଷ୍ୟତରେ ମଧ୍ୟସ୍ଥତାର ଭୂମିକା ନେଇପାରେ ବୋଲି ସଙ୍କେତ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ।
ସେ ବର୍ଲିନରେ କହିଛନ୍ତି ଯେ, ଏମିତି ସମୟ ଆସିପାରେ ଯେବେ ଭାରତ ଏହି ବିଷୟରେ ନିଜର ଭୂମିକା ନିର୍ବାହ କରି ସଫଳ ହେବ। ପାକିସ୍ତାନ ମଧ୍ୟସ୍ଥତାର ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ପୂର୍ଣ୍ଣ ସଫଳତା ମିଳିନଥିବା ସୂଚନା ମିଳିଛି।
ପ୍ରାୟ ୪୦ ଦିନ ଧରି ଦୁଇ ଦେଶ ମଧ୍ୟରେ ସଂଘର୍ଷ ଚାଲିଥିବା ପରେ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ଶାନ୍ତି ସ୍ଥାପନ ହୋଇନାହିଁ। ଦୁଇ ପକ୍ଷ ନିଜ ନିଜ ମତରେ ଅଡି ରହିଛନ୍ତି।
ଏହି ପରିସ୍ଥିତିରେ ନରେନ୍ଦ୍ର ମୋଦୀ ମଧ୍ୟ ଉଭୟ ପକ୍ଷକୁ ସଂଘର୍ଷ ଶେଷ କରିବାକୁ ଆହ୍ୱାନ କରିଛନ୍ତି। ରାଜନାଥ ସିଂ କହିଛନ୍ତି ଯେ, କୂଟନୈତିକ ମାମଲାରେ ଭାରତର ଦୃଷ୍ଟିକୋଣ ସନ୍ତୁଳିତ ଓ ସମୟୋଚିତ।
ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ଗ୍ଲୋବାଲ୍ ସୁରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ହୋଇଉଠିଛି। ଏହା ଭାରତର ସୁରକ୍ଷା ଓ ଆର୍ଥିକ ସ୍ଥିରତାକୁ ସିଧାସଳଖ ପ୍ରଭାବିତ କରୁଛି।
ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱ ଏକ ନୂତନ ପ୍ରକାରର ଚ୍ୟାଲେଞ୍ଜ ସମ୍ମୁଖୀନ ହେଉଛି, ତେଣୁ ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ନୂଆ ଦୃଷ୍ଟିକୋଣ ଅପନାଇବା ଆବଶ୍ୟକ।



