ମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗ ଭୋଟ ପୂର୍ବରୁ ଟିଏମ୍‌ସି–ବିଜେପି ସମର୍ଥକ ମୁହାଁମୁହିଁ; ୯ ଗିରଫ

 

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜନୈତିକ ତଣାତଣି ଚରମ ସୀମାକୁ ପହଞ୍ଚିଛି। ଆସନ୍ତା ୨୩ ତାରିଖରେ ଭୋଟଗ୍ରହଣ ହେବାକୁଥିବାବେଳେ ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ପ୍ରଚାରର ଶେଷ ଦିନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

ପୁଲିସ ଏହି ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରିଛି, ଯାହାମଧ୍ୟରୁ ବିଜେପିର ୫ ଓ ଟିଏମ୍‌ସିର ୪ ସମର୍ଥକ ଅଛନ୍ତି। ସୂଚନା ଅନୁଯାୟୀ, ବିଜେପି ପ୍ରାର୍ଥୀ ରାକେଶ ସିଂହ ହୁସେନ ଶାହା ରୋଡରେ ଏକ ସଭାକୁ ସମ୍ବୋଧନ କରୁଥିବାବେଳେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ସ୍ଲୋଗାନ ଯୁଦ୍ଧ ଆରମ୍ଭ ହୋଇଥିଲା। ପରେ ଏହା ଯୁକ୍ତିତର୍କ ଓ ଧସ୍ତାଧସ୍ତିରେ ପରିଣତ ହୋଇ ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା।

ଉଭୟପକ୍ଷ ଇକବାଲପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ଥାନା ସମ୍ମୁଖରେ ମଧ୍ୟ ପୁଣି ଗଣ୍ଡଗୋଳ ହୋଇଥିଲା। ପୁଲିସ ତୁରନ୍ତ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ତିନୋଟି ପୃଥକ ମାମଲା ରଜିଷ୍ଟର ହୋଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୨୯୪ଟି ଆସନ ପାଇଁ ଏପ୍ରିଲ ୨୩ ଓ ୨୯ରେ ଦୁଇ ପର୍ଯ୍ୟାୟରେ ଭୋଟ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ଭୋଟ ହେବ। ୨୦୧୧ରୁ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମ୍‌ସି ଶାସନ କରୁଥିବାବେଳେ ଏଥର ବିଜେପି ଶକ୍ତ ଚ୍ୟାଲେଞ୍ଜ ଦେଇଛି।

Show More

Related Articles

Back to top button