
ଚେନ୍ନାଇ : ସ୍କୁଲ ବସରେ ମଦ ପିଇ ଛାତ୍ରଛାତ୍ରୀଙ୍କ ହାଇଡ୍ରାମା । ସ୍କୁଲ ପୋଷାକ ସହ ସ୍କୁଲ ବସରେ ଏକାଧିକ ଛାତ୍ରଛାତ୍ରୀ ମଦ୍ୟପାନ କରିବା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁ ଚେଙ୍ଗଲପଡ୍ଡୁ ଜିଲ୍ଲାରେ । ଜିଲ୍ଲା ଶିକ୍ଷାଧିକାରୀ ଘଟଣାଟିକୁ ଅତ୍ୟନ୍ତ ଗୁରୁତର ସହ ନେଇ ପୁଲିସ ଦ୍ୱାରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ , ଚେଙ୍ଗଲପଡ୍ଡୁ ଜିଲ୍ଲାର ଏକ ସରକାର ସ୍କୁଲ୍ର ଛାତ୍ରଛାତ୍ରୀ ସ୍କୁଲ ବସରେ ସ୍କୁଲ ୟୁନିଫର୍ମ ପିନ୍ଧି ଏକତ୍ର ମିଶି ବିୟର ବୋତଲ ଖୋଲି ପିଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଦ୍ୟାର୍ଥୀମାନେ ସ୍କୁଲ୍ ୟୁନିଫର୍ମରେ ଥିରୁକାଝୁକୁନ୍ଦ୍ରମ ରୁ ଠାଚୁର ଯାଉଥିବା ବସରେ ବସି ଏପରି ହାଇଡ୍ରାମା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଏହି ଭିଡିଓକୁ ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେହି ଜଣେ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଅପଲୋଡ କରିଥିବା କୁହାଯାଉଛି। । ଏହି ଘଟଣାକୁ ଗୁରୁତର ସହ ନେଇ ଉଭୟ ଚେଙ୍ଗଲପଡ୍ଡୁ ଜିଲ୍ଲା ଶିକ୍ଷାଧିକାରୀ ରୋଜ୍ ନିର୍ମଲା ଓ ପୋଲିସ୍ ତଦନ୍ତ ଚଲାଇଛନ୍ତି । ସଠିକ୍ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଥିବାବେଳେ ଘଟଣାଟି ସ୍କୁଲ୍ ପରିସର ବାହାରେ ଘଟିଥିବାରୁ ପ୍ରାଥମିକ ତଦନ୍ତ ଭାର ପୋଲିସ ହାତରେ ଅଛି ବୋଲି ରୋଜ୍ ନିର୍ମଲା କହିଛନ୍ତି ।