
ରାଜଧାନୀ ଦିଲ୍ଲୀରେ ପୁଣି ମାତିଲାଣି କରୋନା। ଗୁରୁବାର ଦିଲ୍ଲୀରେ ପଜିଟିଭ୍ ସଂଖ୍ୟା ୨,୭୨୬ରେ ପହଞ୍ଚିଛି। ଯାହା ଗତ ୭ ମାସରେ ସର୍ବାଧିକ। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କେବଳ ସେତିକି ନୁହେଁ, ଆଜି ୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନର ସଂକ୍ରମଣ ସଂଖ୍ୟାକୁ ମିଶାଇ ଦିଲ୍ଲୀରେ କରୋନା ସକ୍ରିୟ ହାର ୧୪.୩୮ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ମିଳିଥିବା ତଥ୍ୟ ଅନୁସାରେ, ଦିଲ୍ଲୀରେ ସକ୍ରିୟ ସଂଖ୍ୟା ୮,୮୪୦ ହୋଇଛି। ଯାହା ୬ ମାସରେ ସର୍ବାଧିକ। ଏହା ପୂର୍ବରୁ ଫେବ୍ରୁଆରୀ ୬ ତାରିଖରେ ଦିଲ୍ଲୀରେ କରୋନା ସକ୍ରିୟ ସଂଖ୍ୟା ୮,୮୬୯ ରହିଥିଲା। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଟେଷ୍ଟ କିନ୍ତୁ ସେହିପରି କରାଯାଇ ନାହିଁ। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୮,୯୬୦ କରୋନା ଟେଷ୍ଟ କରାଯାଇଛି।
ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୬୨୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୩ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ୧୨୫୦୭୬ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୫ ଲକ୍ଷ ୫୫ ହଜାର ୪୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୬୮୭୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।