ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଚଢ଼ାଉ କରି ଜବତ କଲା ପ୍ରଶାସନ

ଗ୍ୟାସ୍ ସିଲିଣ୍ଡର ଅଭାବରେ ଲୋକେ ଅସୁବିଧା ଭୋଗୁଥିବା ବେଳେ କଳାବଜାରୀ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ହାପୁରରେ ପ୍ରଶାସନ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୫୫ଟି ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ଜବତ କରିଛି।
ସୂଚନା ଅନୁସାରେ, ଅବଦୁଲ ରେହାନ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ବେଆଇନ ଭାବେ ଘରେ ଗ୍ୟାସ୍ ସିଲିଣ୍ଡର ମଜୁତ ରଖିଥିବା ଅଭିଯୋଗ ଥିଲା। କିଛି ଦିନ ଧରି ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଅଭାବ ଦେଖାଯାଉଥିବାବେଳେ କଳାବଜାରୀ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରେ ପ୍ରଶାସନ ତଦନ୍ତ ଆରମ୍ଭ କରି ତାଙ୍କ ଘରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଘରୁ ଗୋଟିଏ କିମ୍ବା ଦୁଇଟି ନୁହେଁ, ସର୍ବମୋଟ ୫୫ଟି ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ବାହାରିଥିଲା। ସମସ୍ତ ସିଲିଣ୍ଡରକୁ ପ୍ରଶାସନ ଜବତ କରିଛି। ଏତେ ସଂଖ୍ୟକ ସିଲିଣ୍ଡର କିପରି ଏଠାରେ ଆସିଲା ଏବଂ କଳାବଜାରୀରେ ଆଉ କିଏ କିଏ ଜଡିତ ଅଛନ୍ତି ସେନେଇ ତଦନ୍ତ ଚାଲିଛି।
ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଦିନ ଧରି ସିଲିଣ୍ଡର ମିଳୁନଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘରେ ଏତେ ସଂଖ୍ୟକ ସିଲିଣ୍ଡର ମିଳିବା ଘଟଣାକୁ ନେଇ ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଏହି କଳାବଜାରୀ ନେଟୱର୍କ ଉପରେ ତଦନ୍ତ ଜାରି ରହିଛି।



