
ଆସନ୍ତା ଶିକ୍ଷାବର୍ଷରୁ ପିଲାଙ୍କ ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ପାଠ୍ୟକ୍ରମରେ ଶାରୀରିକ ଶିକ୍ଷାକୁ ସାମିଲ କରାଯିବ । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ଆସନ୍ତା ଶିକ୍ଷା ବର୍ଷରୁ ଶାରୀରିକ ଶିକ୍ଷା ଦିଆଯିବ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଶିକ୍ଷା ଦିଆଯିବ । ଡିଜିଟାଲ୍ କ୍ଲାସରୁମରେ ଇ – କଣ୍ଟେଣ୍ଟ୍ ଦ୍ବାରା ଶିକ୍ଷାଦାନ ଦିଆଯିବ ।
ଏହି ନୀତି ଅନୁସାରେ, ପ୍ରତି ଶନିବାର ସକାଳ ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ଯୋଗ, ପ୍ରାଣାୟମ ଇତ୍ୟାଦି ଉପରେ ଶିକ୍ଷା ଦିଆଯିବ । ଏହା ସହିତ, ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ଏବଂ ସୁସ୍ଥତା ପୁସ୍ତକ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଧାୟକ ଅଶ୍ୱନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି , ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ପୁଣି ସ୍କୁଲକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ‘ଆସ, ସ୍କୁଲ ଯିବା’ ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି। ପିଲାଙ୍କୁ ପାଠପଢିବା ପାଇଁ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି। ମାଗଣାରେ ଡ୍ରେସ , ପାଠ ପଢିବା ପାଇଁ ବହି ସହିତ ମାଗଣାରେ ଉନ୍ନତ ମାନର ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।



