
ସମଗ୍ର ଭାରତ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହରେ ଜଳୁଛି। ଦିନକୁ ଦିନ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ୁଥିବା ବେଳେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି—ଭାରତ ବିଶ୍ୱର ‘ଗ୍ଲୋବାଲ୍ ହିଟ୍ ଏପିକସେଣ୍ଟର’ରେ ପରିଣତ ହୋଇଛି। ରିପୋର୍ଟ ଅନୁଯାୟୀ, ପୃଥିବୀର ସର୍ବାଧିକ ଉତ୍ତପ୍ତ ୧୦୦ଟି ସହର ମଧ୍ୟରୁ ୯୫ଟି ଭାରତରେ ଅବସ୍ଥିତ, ଯାହା ଦେଶରେ ବଢ଼ୁଥିବା ତାପମାତ୍ରାର ଗଭୀରତାକୁ ପ୍ରକାଶ କରୁଛି।
ଉତ୍ତର, ମଧ୍ୟ ଓ ପୂର୍ବ ଭାରତରେ ତାତିର ପ୍ରଭାବ ଭୟଙ୍କର ରୂପ ନେଇଛି। ଅନେକ ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି, ଯାହା ଲୋକଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବେରିବା ଦୁର୍ହଦ୍ୟ ହୋଇପଡ଼ିଥିବା ବେଳେ ତୀବ୍ର ତାପ ଓ ଝାଞ୍ଜି ପବନ ଯୋଗୁଁ ଅଂଶୁଘାତର ଆଶଙ୍କା ବଢ଼ିଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସହିତ ଭୁବନେଶ୍ୱର ଓ ଓଡ଼ିଶାର ଝାରସୁଗୁଡା, ବଲାଙ୍ଗୀର, ସୁନ୍ଦରଗଡ ଭଳି ଅଞ୍ଚଳଗୁଡ଼ିକରେ ହିଟ୍ୱେଭ୍ ତୀବ୍ର ରୂପ ନେଇଛି। ଭାରତର ସହରଗୁଡ଼ିକ ଏବେ ଦୁନିଆର ଅନ୍ୟ ଗରମ ଦେଶଗୁଡ଼ିକୁ ପଛକୁ ପକାଇ ଏହି ତାଲିକାର ଶୀର୍ଷରେ ରହିଛନ୍ତି।
ବିଶେଷଜ୍ଞମାନଙ୍କ ମତାନୁସାରେ, ଏଲ୍-ନିନୋ ପ୍ରଭାବ, ସବୁଜିମାର ହ୍ରାସ, ବଢ଼ୁଥିବା ପ୍ରଦୂଷଣ ଓ ଅତ୍ୟଧିକ ସହରୀକରଣ ଏହି ଅସ୍ୱାଭାବିକ ତାପବୃଦ୍ଧିର ମୂଳ କାରଣ। ପୂର୍ବରୁ ଏପ୍ରିଲ୍ ମାସରେ ଯେଉଁଠାରେ ତାପମାତ୍ରା ନିୟନ୍ତ୍ରଣରେ ରହୁଥିଲା, ବର୍ତ୍ତମାନ ସେଥିରେ ରେକର୍ଡ ସ୍ତର ଦେଖାଯାଉଛି।
IMD ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ୍ ୨୮ ପରେ ଉତ୍ତର ଭାରତର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି, ଯାହା କିଛି ସମୟ ପାଇଁ ଆଶ୍ୱସ୍ତି ଆଣିପାରେ। କିନ୍ତୁ ଆଗକୁ ମେ’ ମାସ ରହିଥିବାରୁ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି।
ଏହି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଦିନର ତୀବ୍ର ତାପ ସମୟରେ ଘରୁ ବାହାରିବାରୁ ବଞ୍ଚିବାକୁ ଏବଂ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଛି।



