ଏସୀୟ କ୍ରୀଡ଼ାରେ ଭାରତର ପଦକ ଖାତା ଖୋଲିଲା, ସୁଟିଂରେ ଦୁଇ ରୌପ୍ୟ

ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ଭାରତ ପଦକ ଖାତା ଖୋଲିଛି। ସୁଟିଂରେ ଭାରତୀୟ ମହିଳା ଦଳ ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। ଏଲାଭେନିଲ୍ ଭାଲାରିଭାନ୍, ସୋନମ ମାସ୍କର ଓ ବିଦର୍ଶା କେ. ବିନୋଦଙ୍କ ଦଳ ୧୮୯୮.୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ୧୯୦୪.୨ ପଏଣ୍ଟ ସହ ଚୀନ୍ ସ୍ୱର୍ଣ୍ଣ ଏବଂ ୧୮୯୭.୧ ପଏଣ୍ଟ ସହ ଜାପାନ କାଂସ୍ୟ ପଦକ ଜିତିଛି।
ଦଳୀୟ ଇଭେଣ୍ଟରେ ସୋନମ ୬୩୪.୧, ଏଲାଭେନିଲ୍ ୬୩୩.୫ ଓ ବିଦର୍ଶା ୬୩୦.୪ ପଏଣ୍ଟ ସ୍କୋର କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ଏଲାଭେନିଲ୍ ଓ ସୋନମ ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲ୍ ଫାଇନାଲ୍କୁ ମଧ୍ୟ ଉନ୍ନୀତ ହୋଇଥିଲେ।
ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଏଲାଭେନିଲ୍ ଭାଲାରିଭାନ୍ ଭାରତକୁ ଆଉ ଏକ ରୌପ୍ୟ ପଦକ ଦେଇଛନ୍ତି। ଫାଇନାଲ୍ରେ ୨୫୨.୪ ପଏଣ୍ଟ ସ୍କୋର କରି ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଫଳରେ ଏସୀୟ କ୍ରୀଡ଼ାର ଆରମ୍ଭରୁ ଭାରତୀୟ ସୁଟିଂ ଦଳ ଦୁଇଟି ରୌପ୍ୟ ପଦକ ହାସଲ କରିଛି। ଆଗାମୀ ଦିନରେ ପୁରୁଷ ୧୦ ମିଟର ଏୟାର ରାଇଫଲ୍ ସମେତ ବିଭିନ୍ନ ସୁଟିଂ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ଉପରେ ନଜର ରହିବ।



