
ଯାଜପୁର: ଓଡ଼ିଶାରେ ଶିଳ୍ପାୟନକୁ ଗତି ଦେବା ସହ ନିବେଶ ପ୍ରତିଶ୍ରୁତିକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ମଙ୍ଗଳବାର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ମେଗା ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୋଟ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ୪୨,୫୧୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିବେ। ଏଥିସହ ଶିଳ୍ପପତି ଓ ନିବେଶକଙ୍କ ସହ ଗୋଲଟେବୁଲ ବୈଠକ ଏବଂ ଏକକ ଆଲୋଚନା କରିବେ। ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ନିବେଶକଙ୍କ ସମସ୍ୟା ଓ ରାଜ୍ୟରେ ଶିଳ୍ପ ସମ୍ପ୍ରସାରଣ ନେଇ ଏଥିରେ ଆଲୋଚନା ହେବ। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ।
୧୪ଟି ଜିଲ୍ଲାରେ ହେବ ପ୍ରକଳ୍ପ
ଏହି ୪୬ଟି ପ୍ରକଳ୍ପ ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଇସ୍ପାତ ଓ ଧାତୁ, ରାସାୟନିକ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ଇଲେକ୍ଟ୍ରୋନିକ୍ସ, ଆଇଟି, ଲଜିଷ୍ଟିକ୍ସ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ସମେତ ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ହେବ।
ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ପାଦନ କ୍ଷମତା ବୃଦ୍ଧି ସହ ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଉଦ୍ୟୋଗୀ ଏବଂ ଯୁବକଯୁବତୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ପ୍ରତ୍ୟକ୍ଷ ନିଯୁକ୍ତି ବ୍ୟତୀତ ନିର୍ମାଣ, ପରିବହନ ଓ ସହାୟକ ସେବା କ୍ଷେତ୍ରରେ ମଧ୍ୟ ରୋଜଗାର ବଢ଼ିପାରେ।
୧୫୧ ପ୍ରକଳ୍ପରେ ୩.୧୧ ଲକ୍ଷ କୋଟିର ନିବେଶ
ସରକାରଙ୍କ ତଥ୍ୟ ଅନୁଯାୟୀ, ‘ଉତ୍କର୍ଷ ଓଡ଼ିଶା–ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ ୨୦୨୫ ପରଠାରୁ ନିବେଶ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏଯାଏଁ ୧୧୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୫ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି। ମୋଟ ୧୫୧ଟି ପ୍ରକଳ୍ପରେ ୩,୧୧,୭୨୨.୪୬ କୋଟି ଟଙ୍କାର ନିବେଶ ସହ ୨,୪୦,୬୯୭ ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ଆକର୍ଷଣ ନୁହେଁ; ବରଂ ତାହାକୁ ବାସ୍ତବ ପ୍ରକଳ୍ପ, ନିଯୁକ୍ତି ଓ ଲୋକଙ୍କ ଜୀବନଜୀବିକାରେ ଉନ୍ନତିରେ ପରିଣତ କରିବା। ସେହିପରି ହେମନ୍ତ ଶର୍ମା କହିଛନ୍ତି, ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ, ନିବେଶକଙ୍କ ସମସ୍ୟାର ସମାଧାନ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।



