ଅପରାଧମୁଖ୍ୟ ଖବର

ପୁରୀରେ ଆଇପିଏଲ ବେଟିଂ ରାକେଟ ପର୍ଦ୍ଦାଫାସ, ୪ ଗିରଫ

ପୁରୀ: ସହରରେ ଚାଲୁଥିବା ଏକ ବଡ଼ ଆଇପିଏଲ ବେଟିଂ ରାକେଟକୁ ପୁରୀ ପୋଲିସ ଧ୍ୱଂସ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୨୫ ଲକ୍ଷ ୩୫ ହଜାର ଟଙ୍କା ଓ ୬ଟି ମୋବାଇଲ ଜବତ କରାଯାଇଛି।
ପୁରୀ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇ କହିଛନ୍ତି ଯେ, ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟିଙ୍କ ସହ ବି. ନାଗେଶ୍ୱର ରାଓ, ବିଶ୍ୱନାଥ ଲେଙ୍କା ଏବଂ ରାମାକାନ୍ତ ସାହୁଙ୍କୁ ଧରାଯାଇଛି।
ତଦନ୍ତ ସମୟରେ ପୋଲିସ ୧୦ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷରୁ ଅଧିକ ଟଙ୍କାକୁ ଫ୍ରିଜ କରିଛି। ଏହି ରାକେଟର ସଦସ୍ୟମାନେ ହ୍ୱାଟସଆପ୍ ମାଧ୍ୟମରେ ଜଣେ ଅଜଣା ବ୍ୟକ୍ତିଙ୍କୁ ‘ବସ’ ବୋଲି ସମ୍ବୋଧନ କରି କାରବାର ଚାଲୁଥିଲେ। ସେହି ‘ବସ’ କିଏ ତାହା ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍‌ ମାଧ୍ୟମରେ ଏହି ବେଟିଂ ଚକ୍ର ଚାଲୁଥିଲା। ଏହି ଆପ୍‌ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରି ପଏଣ୍ଟ ନେଉଥିଲେ ଏବଂ ସେହି ପଏଣ୍ଟକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରୁଥିଲେ।
ଏହି ନେଟୱାର୍କକୁ ବିସ୍ତାର କରିବା ପାଇଁ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କୁ ପ୍ରତିମାସ ପ୍ରାୟ ୨୨ ହଜାର ଟଙ୍କା ଦେଇ ନୂତନ ଲୋକଙ୍କୁ ଏହି ଚକ୍ରରେ ଯୋଡ଼ାଯାଉଥିଲା ଏବଂ ବଡ଼ ପରିମାଣର ପଏଣ୍ଟ ବଣ୍ଟନ କରାଯାଉଥିଲା।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୁରୀ ସାଇବର କ୍ରାଇମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି ଏବଂ ସମଗ୍ର ନେଟୱାର୍କର ମୂଳ ସୂତ୍ରଧାରଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Show More

Related Articles

Back to top button