Breaking PLUSଦେଶବାଣିଜ୍ୟମୁଖ୍ୟ ଖବର

ନାୟାରାର ଝଟକା: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଘରୋଇ ଇନ୍ଧନ ବିକ୍ରେତା ନାୟାରା ଏନର୍ଜି ଶନିବାରଠାରୁ ସାରା ଦେଶରେ ଏହାର ୭ ହଜାରରୁ ଅଧିକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩ ଟଙ୍କା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଖର୍ଚ୍ଚ ଉପରେ ଚାପ ବଢ଼ିବାରୁ ଏହି ଦର ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

ଚଳିତ ବର୍ଷ ନାୟାରାର ଏହା ଦ୍ୱିତୀୟ ଦର ବୃଦ୍ଧି। ଏହା ପୂର୍ବରୁ ମାର୍ଚ୍ଚରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିଲା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଏହି ବୃଦ୍ଧି ହୋଇଥିଲା। ପରେ ଅଶୋଧିତ ତୈଳ ଦର କମିବାରୁ ଜୁଲାଇରେ ନାୟାରା ସେହି ବର୍ଦ୍ଧିତ ଦର ପ୍ରତ୍ୟାହାର କରିଥିଲା।

ଦେଶର ୧ ଲକ୍ଷ ୪ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ପମ୍ପ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର। ଅନ୍ତର୍ଜାତୀୟ ତୈଳ ଦରରେ ଉତ୍ଥାନ-ପତନ ସତ୍ତ୍ୱେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଖୁଚୁରା ଦରରେ ବଡ଼ ପରିବର୍ତ୍ତନ କରିନାହାନ୍ତି। ଏହି ମଧ୍ୟରେ ଘରୋଇ ଇନ୍ଧନ ବିକ୍ରେତାମାନେ ପେଟ୍ରୋଲ ଓ ଡିଜେଲ ବିକ୍ରି କମାଇବା କିମ୍ବା ବନ୍ଦ ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ବ୍ୟବସାୟିକ ଏଲପିଜି ଦର ମଧ୍ୟ ବଢ଼ିଛି। ୧୯ କିଲୋର ସିଲିଣ୍ଡର ପିଛା ୬୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଘରୋଇ ଏଲପିଜି ଦର ୯୪୨ ଟଙ୍କାରେ ଅପରିବର୍ତ୍ତିତ ରହିଛି। ସେହିପରି ବିମାନ ଇନ୍ଧନ (ଏଟିଏଫ୍) ଦର ମଧ୍ୟ ଲିଟର ପିଛା ୧୬ ଟଙ୍କା ବଢ଼ି ୧୩୭ ଟଙ୍କାରେ ପହଞ୍ଚିଛି।

Show More

Related Articles

Back to top button