ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ

ଭୁବନେଶ୍ୱର, 27 ନଭେମ୍ବର – ଆ-କା-ମା-ବୈ.. ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଏହି ଅବସରରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଆଜି ଭୋରୁ ଭୋରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ନଦୀ, କେନାଲ ଓ ପୋଖରୀରେ ଡଙ୍ଗା ଭସାଇଛନ୍ତି । ପୁରୀ ସହିତ କଟକ ଓ ଭୁବନେଶ୍ୱର ବିନ୍ଦୁସାଗର ଓ କୁଆଖାଇ ନଦୀ ସମେତ ରାଜ୍ୟର ବିଭିନ୍ନ ନଦୀରେ ଭୋର ୪ ଟାରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। କଦଳୀ ପାଟୁଆ, କାଗଜ, ସୋଲରେ ତିଆରି ଡଙ୍ଗାରେ ପାନ, ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଇଛନ୍ତି ଲୋକେ। ଡଙ୍ଗା ବନ୍ଦାଣ ପରେ ଡଙ୍ଗା ଭସାଇଛନ୍ତି ଲୋକେ । ଏହାପରେ ନଦୀକୂଳରେ ଥିବା ବିଭିନ୍ନ ମନ୍ଦିରରେ ଦର୍ଶନ କରିଛନ୍ତି ଭକ୍ତମାନେ । ଏଥିପାଇଁ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।
ପୂର୍ବକାଳରେ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବାଣିଜ୍ୟ କରିବା ପାଇଁ ବୋଇତରେ ବିଦେଶ ଯାଉଥିଲେ । କାର୍ତ୍ତିକ ମାସକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ । କାର୍ତ୍ତିକରେ ଯାଇ ସାଧବ ପୁଅମାନେ ବାଣିଜ୍ୟ ସାରି ପୁଣି ଆଷାଢ଼ ମାସରେ ଫେରୁଥିଲେ । ଏହି ପରମ୍ପରା ତଥା ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ ।