
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨ ଦିନ ଧରି ଲାଗିରହିଛି ଲଗାଣ ବର୍ଷା। ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି। ଆଜି ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷିପାରେ। ତେବେ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ଲଘୁଚାପଜନିତ ବର୍ଷା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଉତ୍ତର-ଓଡ଼ିଶା ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ। ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ହେଲେ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଏ ବର୍ଷ ମୌସୁମୀ ପ୍ରଭାବରେ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ କେଉଁଠି କେତେ ବର୍ଷା ହୋଇଛି, ତା’ର ବି ସୂଚନା ଦେଇଛି ବିଭାଗ। ଏବର୍ଷ ସ୍ୱାଭାବିକ ଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ମୋଟ ଉପରେ ୧୧୪୦.୯ ମିମି ବର୍ଷା ରେକର୍ଡ କରାଯାଇଛି।