
ରାଜ୍ୟରେ ନିଅଣ୍ଟିଆ ବର୍ଷା । ଏବେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଗୋଟିଏ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ରହିଛି। ଗାଣିତିକ ହିସାବରେ ବର୍ଷା ପରିମାଣ ସ୍ବାଭାବିକ କୁହାଯାଉଥିଲେ ମଧ୍ୟ ବର୍ଷାର ଅନିୟମିତା ଏବେ ଚାଷୀକୂଳ ପ୍ରତି ବିପଦ ଟାଣି ଆଣିଛି। ମୌସୁମୀ ଆଗମନ ପୂର୍ବରୁ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା।
ଅଗଷ୍ଟରେ ନିଅଣ୍ଟିଆ ବୃଷ୍ଟିପାତର ମୂଳ କାରଣ ହେଉଛି ଏଲ୍-ନିନୋ। ଦକ୍ଷିଣ ଆମେରିକା ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ବିଷୁବରେଖା ନିକଟସ୍ଥ ମହାସାଗର ଅଞ୍ଚଳରେ ପଶ୍ଚିମରୁ ପୂର୍ବ ଦିଗକୁ ଗତି କରୁଥିବା ମ୍ୟାଡେନ୍-ଜୁଲିଆନ୍ ତରଙ୍ଗର ପ୍ରତିକୂଳ ପର୍ଯ୍ୟାୟ ଅନେକାଂଶରେ ଦାୟୀ।
ମ୍ୟାଡେନ୍- ଜୁଲିଆନ୍ ତରଙ୍ଗ ସକ୍ରିୟ ରହିଲେ ଏହା ଭାରତର ମୁଖ୍ୟ ଭୂଭାଗରେ ମେଘ ସଂକ୍ରମଣକୁ ତ୍ୱରାନ୍ୱିତ କରିଥାଏ। ଫଳରେ ଅନେକ ମେଘ ସମୂହର ଉତ୍ତରାୟଣ ଗତି ସହ ଲଘୁଚାପର ଅନୁପସ୍ଥିତି ସତ୍ତ୍ବେ ଭଲ ବର୍ଷା କରାଏ। ଏହି ତରଙ୍ଗ ସକ୍ରିୟ ରହିଲେ ଏହା ଲଘୁଚାପ ସୃଷ୍ଟିର ଅନୁକୂଳ ମଧ୍ୟ ବୃଦ୍ଧି କରେ।