ଦେଶ
ମଣିପୁରରେ ମଧ୍ୟମ ତୀବ୍ରତାର ଭୂକମ୍ପ,ଭୟରେ ଘରୁ ବାହାରିଲେ ଲୋକେ

ଇମ୍ଫାଲ: ମଣିପୁରର ବିଭିନ୍ନ ଅଞ୍ଚଳରେ ଆଜି ପ୍ରଭାତେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିସ୍ଥିତି ଦେଖାଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ ହୋଇଥିବା ବେଳେ, ଏହାର କେନ୍ଦ୍ରସ୍ଥଳ କାମଜୋଙ୍ଗ ଜିଲ୍ଲାରେ ଥିବା କୁହାଯାଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ପ୍ରାୟ ୫ଟା ୫୯ ମିନିଟରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଝଟକା ଲାଗିବା ସହିତେ ଲୋକମାନେ ସତର୍କତାବଶତଃ ଘର ଛାଡ଼ି ଖୋଲା ଜାଗାକୁ ଯାଇଥିଲେ।
ଏହାର ପ୍ରଭାବ ପଡ଼ୋଶୀ ରାଜ୍ୟ ନାଗାଲାଣ୍ଡ ଓ ଆସାମର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ, ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି କିମ୍ବା ବଡ଼ ପରିମାଣର କ୍ଷତି ଘଟିଥିବା ଖବର ମିଳିନାହିଁ।
ଏହା ପୂର୍ବରୁ ଉତ୍ତରାଖଣ୍ଡର ପାଉରୀ ଗଡ଼ୱାଲ ଅଞ୍ଚଳରେ ହାଲୁକା ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।



