
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆସନ୍ତା ୯ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଦିବସ ଅବସରରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଏନେଇ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।
ବେଙ୍ଗଲରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ନରେନ୍ଦ୍ର ମୋଦି ବାରାକପୁରରେ ତାଙ୍କ ଶେଷ ପ୍ରଚାର ରାଲିରେ ଏହି ସମୟସୀମାକୁ ସୂଚିତ କରିଥିଲେ। ପରେ ନୂଆଦିଲ୍ଲୀରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି ସେ ଟାଗୋରଙ୍କ ଆଦର୍ଶକୁ ଉଲ୍ଲେଖ କରି “ଭୟମୁକ୍ତ ମନ ଓ ଉଚ୍ଚ ମସ୍ତକର ବଙ୍ଗ” ଗଢ଼ିବା ପ୍ରତି ବିଜେପିର ସଂକଳ୍ପ ବ୍ୟକ୍ତ କରିଥିଲେ।
ସୂତ୍ର ଅନୁସାରେ, ୬ ମଇରେ ନିର୍ବାଚନ କମିଶନ ରାଜ୍ୟପାଳ ଆର.ଏନ. ରବିଙ୍କୁ ଆନୁଷ୍ଠାନିକ ସୂଚନା ଦେବେ। ତାପରେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇସ୍ତଫା ପାଇଁ ଆମନ୍ତ୍ରଣ କରାଯିବ। ନୂଆ ସରକାର ଶପଥ ନେଉଯାଏ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ।
ପୋଚିଶେ ବୈଶାଖ (୯ ମଇ) ଦିନରେ ଶପଥ ଗ୍ରହଣ ତାରିଖ ନିର୍ଦ୍ଧାରଣ କରାଯାଇଥିବାରୁ ଏହା ଟାଗୋରଙ୍କ ପ୍ରତି ଶ୍ରଦ୍ଧା ଜଣାଇବା ସହିତ ରାଜ୍ୟରେ ଏକ ଭାବନାତ୍ମକ ମାନ୍ୟତା ମଧ୍ୟ ନେଇଆସିଛି।



