ଯୌତୁକ ପାଇଁ ନବ ବଧୂଙ୍କୁ ବିଷ ଦେଇ ହତ୍ୟା

ଧରାକୋଟ: ଅଧିକ ଯୌତୁକ ଦାବି କରି ଶାଶୁ, ଶ୍ୱଶୁର ନବ ବଧୂକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ସୋମବାର ଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଗ୍ରାମରେ। ଆସିକା ଥାନା ଅନ୍ତର୍ଗତ ନୂଆଁ ସାହାସପୁର ଗ୍ରାମର ମୃତକଙ୍କ ମାଆ ଝୁନୁ ଗୌଡ ଧରାକୋଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶ୍ୱଶୁର ଗୁରା ଗୌଡ, ଶାଶୁ ନୀଳା ଗୌଡ଼, ସ୍ୱାମୀ ଗଗନ ଗୌଡ଼, ଦିଅର ବସନ୍ତ ଗୌଡ଼ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ଥାନାଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି । ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ ନୂଆଁ ସାହାସପୁର ଗ୍ରାମର ବାବୁଲା ଗୌଡ଼ଙ୍କ ଝିଅ କାଳିଜାଇ ଗୌଡ ଢଉଗାଁ ଗ୍ରାମର ଗୁରା ଗୌଡ଼ଙ୍କ ପୁଅ ଗଗନ ଗୌଡ଼ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।
ବାହାଘର ସମୟରେ କନ୍ୟା ପକ୍ଷ ତରଫରୁ ନଗଦ ୨୦ ହଜାର ଟଙ୍କା, ଚେନ୍, ମୁଦି ଓ ଅନ୍ୟାନ୍ୟ ଘରୋଇ ଉପକରଣ ଦିଆଯାଇଥିଲା । ବିବାହର କିଛି ଦିନ ହସଖୁସିରେ ବିତିବା ପରେ ଶାଶୁଘର ପକ୍ଷରୁ ଶ୍ୱଶୁର ଗୁଳା ଗୌଡ଼, ଶାଶୁ ନୀଳା ଗୌଡ଼, ସ୍ୱାମୀ ଗଗନ, ଦିଅର ବସନ୍ତ ମିଳିତ ଭାବେ ଅଧିକ ଯୌତୁକ ଆଣିବାକୁ କହି ବୋହୂ କାଳିଜାଇକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ଏନେଇ କାଳିଜାଇ ନିଜ ମାଆଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଝିଅଘର ପକ୍ଷରୁ ଭଦ୍ର ଲୋକଙ୍କୁ ନେଇ ଉଭୟ ପକ୍ଷ ଉପସ୍ଥିତିରେ ଆପୋଷ ବୁଝାମଣା ହୋଇଥିଲା । ଗତ ସୋମବାର ଦିନ ଝିଅ କାଳିଜାଇ ଫୋନ୍ କରି ନିଜ ମାଆ ସହ କଥା ହେଉଥିଲେ । ଝିଅ ବେଶ୍ ଖୁସି ଥିବାର ମା ଜାଣିପାରିଥିଲେ । ସେହିଦିନ ହଠାତ୍ ରାତି ୯ଟା ସମୟରେ ଶ୍ୱଶୁର ଗୁରା ଗୌଡ ବୋହୁର ଦେହ ଖରାପ ଥିବା ନେଇ ଝିଅଘରକୁ ଜଣାଇ ଆସିକା ମେଡିକାଲକୁ ଆସିବାକୁ କହିଥିଲେ । ଖବର ପାଇ ଝିଅ ଘର ପରିବାର ଆସିକା ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହ ଝିଅର ସ୍ୱାସ୍ଥ୍ୟା ସମ୍ପର୍କରେ ପଚାରିବାରୁ ବିଷପାନ ଦ୍ୱାରା ଝିଅ ଅସୁସ୍ଥ ହୋଇଥିବା କହିଥିଲେ। ପରେ ଗୁରୁତର ଝିଅ ସହ ମା ଝୁନୁ ଗୌଡ କଥା ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ପାଇଁ ଶାଶୁଘର ପରିବାର ଦାୟୀ ବୋଲି କାଳିଜାଇ କହିଥିଲା ବୋଲି ତାଙ୍କ ମାଆ କହିଥିଲେ । କାଳିଜାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟଧିକ ଖରାପ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦେଇଥିଲେ । ସେଠାରେ କାଳିଜାଇଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଝିଅ ଘର ପକ୍ଷରୁ ଉପଯୁକ୍ତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧରାକୋଟ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।