ଭୂତଳ ଜଳ ଅପବ୍ୟବହାର ଅଭିଯୋଗ: ବାରବାଟୀ ସହ ୬ କ୍ରିକେଟ୍ ଷ୍ଟାଡିୟମକୁ ଏନଜିଟି ନୋଟିସ

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ ସମେତ ଦେଶର ମୋଟ ୬ଟି ପ୍ରମୁଖ କ୍ରିକେଟ ଷ୍ଟାଡିୟମକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ଦ୍ୱାରା ନୋଟିସ୍ ଜାରି ହୋଇଥିବା ଘଟଣା ଏବେ କ୍ରୀଡ଼ା ଓ ପରିବେଶ ମଣ୍ଡଳୀରେ ଚର୍ଚ୍ଚାର କେନ୍ଦ୍ରବିন্দୁ ହୋଇଛି। ଭୂତଳ ଜଳର ଅତ୍ୟଧିକ ଏବଂ ଅନୁମତି ବିନା ବ୍ୟବହାରକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
NGT ଙ୍କ ଅଭିଯୋଗ ଅନୁଯାୟୀ, ପିଚ୍ ଓ ଗ୍ରାଉଣ୍ଡ ରକ୍ଷଣାବେକ୍ଷଣ ପାଇଁ ଷ୍ଟାଡିୟମଗୁଡ଼ିକରେ ବିନା ଆବଶ୍ୟକ NOC ଭୂତଳ ଜଳକୁ ବ୍ୟବହାର କରାଯାଉଛି। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିୟମ ମାନାଯାଇନଥିବା ସହ, ଆବଶ୍ୟକ ସୂଚନା ମଧ୍ୟ ସମୟମତେ ଦାଖଲ ହୋଇନଥିବା ନେଇ ଟ୍ରିବ୍ୟୁନାଲ୍ ଅସନ୍ତୋଷ ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ଗତ ୧୬ ତାରିଖରେ ନୋଟିସ୍ ଜାରି କରାଯାଇଥିଲା।
ନୋଟିସ୍ ପାଇଥିବା ଷ୍ଟାଡିୟମଗୁଡ଼ିକ ମଧ୍ୟରେ ଅରୁଣ ଜେଟଲି ଷ୍ଟାଡିୟମ, ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ, ସୱାଇ ମାନସିଂହ ଷ୍ଟାଡିୟମ, ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ଏକାନା କ୍ରିକେଟ୍ ଷ୍ଟାଡିୟମ ମଧ୍ୟ ଅନ୍ତର୍ଭୁକ୍ତ।
ଆବେଦନକାରୀଙ୍କ ଯୁକ୍ତି ଅନୁସାରେ, ଏହି ଷ୍ଟାଡିୟମଗୁଡ଼ିକରେ ଭୂତଳ ଜଳର ଅନିୟନ୍ତ୍ରିତ ବ୍ୟବହାର ପାନୀୟ ଜଳ ସଂକଟକୁ ଆହୁରି ଗଭୀର କରୁଛି। ବର୍ଷା ଜଳ ସଂରକ୍ଷଣ ବା ପୁନଃଚକ୍ରାୟନ ଜଳ ବ୍ୟବହାର ପାଇଁ କୌଣସି ଠୋସ୍ ବ୍ୟବସ୍ଥା ନଥିବା ମଧ୍ୟ ଅଭିଯୋଗ ହୋଇଛି। ଦେଶର ୨୬ଟି ଷ୍ଟାଡିୟମ ମଧ୍ୟରୁ ୨୪ଟିରେ ବୋରୱେଲ୍ ରହିଥିବାବେଳେ କେବଳ ୪ଟିରେ ଆବଶ୍ୟକ ଅନୁମତି ଥିବା ତଥ୍ୟ ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି।
NGT ନୋଟିସ୍ରେ ଏହି ଷ୍ଟାଡିୟମ ପକ୍ଷରୁ ପ୍ରଶ୍ନ ଉଠାଯାଇଛି କାହିଁକି ସେମାନଙ୍କର କ୍ରୀଡ଼ା କାର୍ଯ୍ୟକଳାପକୁ ଅସ୍ଥାୟୀଭାବେ ବନ୍ଦ କରାଯିବ ନାହିଁ। ଏହାର ଉତ୍ତର ଦେବାକୁ ସମ୍ପର୍କିତ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ଏହି ଘଟଣା ପରେ ଏବେ ସମସ୍ତଙ୍କ ନଜର ରହିଛି ଷ୍ଟାଡିୟମ ପକ୍ଷରୁ କିପରି ଜବାବ ଆସିବ ଏବଂ ଭବିଷ୍ୟତରେ ଜଳ ସଂରକ୍ଷଣ ନିୟମ ପାଳନ କିପରି ସୁନିଶ୍ଚିତ ହେବ।



