Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

ପାକିସ୍ତାନରେ ପ୍ରକୃତିର ତାଣ୍ଡବ: କରାଚିରେ ଝଡ଼-ବର୍ଷାରେ ୧୯ ମୃତ, ସାଧାରଣ ଜୀବନ ବିଚ୍ଛିନ୍ନ

ପଡ଼ୋଶୀ ଦେଶ ପାକିସ୍ତାନ ଏବେ ପ୍ରକୃତିର କରାଳ ରୂପର ସମ୍ମୁଖୀନ ହେଉଛି। କରାଚି ସହ ସିନ୍ଧ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ ଓ ବର୍ଷା ଯୋଗୁଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଘଟଣାରେ କମ୍ ସେ କମ୍ ୧୯ ଜଣଙ୍କ ଜୀବନ ହାନି ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ବାଲଦିଆ ଟାଉନର ମୱାଚ୍ ଗୋଥ୍ ଅଞ୍ଚଳରେ ଘଟିଛି। ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ପରିତ୍ୟକ୍ତ ଘର ତଳେ ଆଶ୍ରୟ ନେଇଥିବା ଲୋକମାନଙ୍କ ଉପରେ ହଠାତ୍ କୋଠାର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ହାନି ଘଟିଥିବା ସୂଚନା ମିଳିଛି।

ଏହାଛଡ଼ା ଲାନ୍ଧୀ ଓ କୋରାଙ୍ଗି ଅଞ୍ଚଳରେ ମଧ୍ୟ କାନ୍ଥ ଓ ଛାତ ପଡ଼ିବାରୁ ମୃତ୍ୟୁ ଘଟିଛି। ମାଲିର୍ ନଦୀ ନିକଟରେ ବଜ୍ରପାତରେ ଜଣେ ବ୍ୟକ୍ତି ପ୍ରାଣ ହାରାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଗଛ ପଡ଼ିବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟିଛି।

ପାକିସ୍ତାନ ପାଣିପାଗ ବିଭାଗ ପୂର୍ବରୁ ଝଡ଼-ବର୍ଷା ସମ୍ଭାବନା ସୂଚନା ଦେଇଥିଲେ ମଧ୍ୟ, ଏହାର ପ୍ରଭାବ ଅତ୍ୟଧିକ ଥିଲା। ଝଡ଼-ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବା ସହ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପୀଡିତ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button