ପଞ୍ଚାୟତ ନିର୍ବାଚନ ୨୦୨୨
୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୧୬ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୩୦ ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନର ୧ ହଜାର ୬ଶହ ୬୯ ପଞ୍ଚାୟତ, ୨୨ହଜାର ୩୭୯ ଓ୍ବାର୍ଡରେ ହେବ ଭୋଟିଂ। ସେଥିପାଇଁ ୧୪ ତାରିଖ ସଂଧ୍ୟା ୭ଟାରୁ ପ୍ରଚାର, ସଭା ସମିତି ବନ୍ଦ ହେବା ସହ ପଞ୍ଚାୟତ ବାହାର ନେତାଙ୍କୁ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଅନେକ ଜିଲ୍ଲାରେ ପୁଲିଂ ପାର୍ଟିମାନେ ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏଥିରେ ଅସନ୍ତୋଷ ଜାହିର କରିଛନ୍ତି କର୍ମଚାରୀ । ସେହିଭଳି ଭୋଟିଂ ତାରିଖରେ ୟୁନିଭର୍ସିଟିଗୁଡ଼ିକରେ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ଭୋଟ ଦାନରୁ ବଞ୍ଚିତ ହେବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ୍ ହୋଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ । ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହିତ ଭିଡିଓଗ୍ରାଫି କରାଯିବ । ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଆର୍ଥାତ ୧୪ ତାରିଖ ସଧ୍ୟା ୭ଟାରୁ ବାହାର ନେତାଙ୍କୁ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ୩୬ଘଣ୍ଟା ପୂର୍ବରୁ ପ୍ରଚାର, ସଭା ସମିତି, ଲାଉଡ ସ୍ପିକର ବନ୍ଦ ହେବ । ଭୋଟ ଗ୍ରହଣ ପରେ ଭୋଟ ବାକ୍ସଗୁଡ଼ିକୁ ବ୍ଲକରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ସିସିଟିଭି ନଜରରେ ରଖାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦତ୍ୟ ପ୍ରସାଦ ପାଢ଼ୀ ।
ଭୋଟ ଗ୍ରହଣର ଦିନକ ପୂର୍ବରୁ କିମ୍ବା ଦୁଇ ଦିନ ପୂର୍ବରୁ ପୁଲିଂ ପାର୍ଟିଗୁଡ଼ିକ ପୁଲିଂ ବୁଥରେ ପହଞ୍ଚିବେ। ପ୍ରିଜାଇଡିଂ ଅଫିସରମାନେ କେମିତି ବୁଥରେ ପହଞ୍ଚିବେ ତା’ର ବ୍ୟବସ୍ଥା କରିବେ ଜିଲ୍ଲାପାଳ । ଏପଟେ ଅନେକ ଜିଲ୍ଲାରେ ପ୍ରିଜାଇଡିଂ ଅଫିସରମାନେ ଦିନକ ପୂର୍ବରୁ ପୁଲିଂ ବୁଥରେ ପହଞ୍ଚିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ବୁଥରେ ପହଞ୍ଚିଲେ ଆବାଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାରେ ବିଳମ୍ବ ହେବ। କାରଣ ଯେହେତୁ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ପାଇଁ ନିର୍ବାଚନ ହେବ ସେଥିପାଇଁ ଭୋଟିଂ ପାଇଁ ବାଲଟ ପେପର ପ୍ରସ୍ତୁତ କରିବାକୁ ସମୟ ଲାଗିବ । ତେଣୁ ସେମାନଙ୍କୁ ଭୋଟିଂର ୩ ଦିନ ପୂର୍ବରୁ ବୁଥରେ ପହଞ୍ଚାଇବାକୁ ଦାବି କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭୋଟ ଗ୍ରହଣ ଦିନ ବିଭିନ୍ନ ବିଶ୍ବବିଦ୍ୟାଳୟରେ ପରୀକ୍ଷା ଥିବାରୁ ଭୋଟ ଦେବାରୁ ବଞ୍ଚିତ ହେବାକୁ ଥିବାଛାତ୍ରଛାତ୍ରୀ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ।ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଭିନ୍ନ ଛାତ୍ର ସଂଗଠନ ।