ଗୁଆହାଟୀ ହାଇକୋର୍ଟରେ ରାହତ ନମିଳିଲେ ପରେ ସୁପ୍ରିମକୋର୍ଟରେ ଆଶ୍ରୟ ନେଲେ ପବନ ଖେଡ଼ା

ନୂଆଦିଲ୍ଲୀ: ଆସାମରେ ରୁଜୁ ହୋଇଥିବା ବିବାଦସ୍ପଦ ମାମଲାକୁ ନେଇ କଂଗ୍ରେସର ଜ୍ୟେଷ୍ଠ ନେତା ପବନ ଖେଡ଼ା ଆଇନୀ ଯୁଦ୍ଧକୁ ଆହୁରି ତୀବ୍ର କରିଛନ୍ତି। ଗୁଆହାଟୀ ହାଇକୋର୍ଟରୁ ଆଶାକରା ରାହତ ନମିଳିବା ପରେ ସେ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲା ଏବେ ରାଜନୀତି ଓ ଆଇନୀ ପରିସ୍ଥିତିକୁ ଉତ୍ତେଜିତ କରିଦେଇଛି।
ଘଟଣାର ପୃଷ୍ଠଭୂମିରେ ରହିଛି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୋଧରେ Pawan Kheraଙ୍କ କରାଯାଇଥିବା ବିବାଦିତ ମନ୍ତବ୍ୟ। ଖେଡ଼ା ଅଭିଯୋଗ କରିଥିଲେ ଯେ ରିନିକିଙ୍କ ପାଖରେ ବିଦେଶୀ ପାସପୋର୍ଟ (ୟୁଏଇ, ଇଜିପ୍ଟ, ଆଣ୍ଟିଗ୍ବା-ବାର୍ବୁଡା) ରହିଛି ଏବଂ ବିଦେଶରେ ବହୁ ସମ୍ପତ୍ତି ଥିବା କଥା କହିଥିଲେ। ଏହି ଅଭିଯୋଗକୁ ଅସ୍ୱୀକାର କରି ରିନିକି ଭୂୟାଁ ଶର୍ମା ତାଙ୍କ ବିରୋଧରେ ଏତଲା ଦାଏର କରିଥିଲେ।
ଏହା ପରେ ଆସାମ ପୁଲିସ ପବନ ଖେଡ଼ାଙ୍କୁ ଗିରଫ କରିବା ପାଇଁ ଏପ୍ରିଲ ୭ରେ ଦିଲ୍ଲୀରେ ଥିବା ତାଙ୍କ ବାସଭବନକୁ ପହଞ୍ଚିଥିଲେ, କିନ୍ତୁ ସେ ମିଳିନଥିଲେ। ପରବର୍ତ୍ତୀ ସମୟରେ ସେ ତେଲଙ୍ଗାନା ହାଇକୋର୍ଟରୁ ଏକ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଲାଭ କରିଥିଲେ, ଯାହା ତାଙ୍କ ପାଇଁ ତତ୍କାଳ ରାହତ ନେଇଆସିଥିଲା।
କିନ୍ତୁ ଏହି ରାୟକୁ ଆପତ୍ତି କରି ଆସାମ ପୁଲିସ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲା। ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱ ସହକାରେ ଗ୍ରହଣ କରି ତେଲଙ୍ଗାନା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲା ଏବଂପବନ ଖେଡ଼ାଙ୍କୁ ଗୁଆହାଟୀ ହାଇକୋର୍ଟର ଶରଣାପଣ୍ଣ ହେବାକୁ ପରାମର୍ଶ ଦେଇଥିଲା।
ଏହି ଅନୁସାରେ ପବନ ଖେଡ଼ା ଗୁଆହାଟୀ ହାଇକୋର୍ଟରେ ଆବେଦନ କରିଥିଲେ, କିନ୍ତୁ ସେଠାରୁ ସେ କୌଣସି ମହତ୍ୱପୂର୍ଣ୍ଣ ରାହତ ପାଇପାରିନଥିଲେ। ଏହା ପରେ ସେ ପୁନର୍ବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ଚାହିଁଛନ୍ତି।
ଏହି ମାମଲା ଏବେ କେବଳ ଏକ ଆଇନୀ ବିବାଦ ରହିନଥାଇ ରାଜନୀତିକ ତର୍କର ମୁଖ୍ୟ କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ଏକ ପକ୍ଷରେ କଂଗ୍ରେସ ଏହାକୁ ରାଜନୀତିକ ପ୍ରତିଶୋଧ ବୋଲି କହୁଥିବା ବେଳେ, ଅନ୍ୟ ପକ୍ଷରେ ଶାସକ ପକ୍ଷ ଏହାକୁ ଆଇନ ଅନୁଯାୟୀ କାର୍ଯ୍ୟବାହୀ ବୋଲି ଦାବି କରୁଛି।
ଏହି ପରିସ୍ଥିତିରେ ସୁପ୍ରିମକୋର୍ଟର ଆଗାମୀ ଶୁଣାଣି ଓ ରାୟ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି, କାରଣ ଏହା ମାମଲାର ଦିଗ ଓ ରାଜନୀତିକ ପରିଣାମକୁ ନିର୍ଣ୍ଣୟ କରିପାରେ।



